ଦଙ୍ଗା ପାଇଁ ପିଏଫ୍‌ଆଇକୁ ଦାୟୀ କଲା ୟୁପି ପୁଲିସ

୩ ପ୍ରମୁଖ ସଦସ୍ୟ ଗିରଫ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଉତ୍ତରପ୍ରଦେଶରେ ଯେଉଁ ଆନ୍ଦୋଳନ ଓ ହିଂସା ଉପୁଜିଛି ସେଥିପାଇଁ ଦିଲ୍ଲୀର ଇସଲାମିକ୍‌ ସଂଗଠନ ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ)କୁ ଦାୟୀ କରିଛି ଉତ୍ତରପ୍ରଦେଶ ପୁଲିସ। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ସଂଗଠନର ଉତ୍ତରପ୍ରଦେଶ ସଭାପତି ସମେତ ୩ ଜଣ ସଦସ୍ୟଙ୍କୁ ଉକ୍ତ ଘଟଣାରେ ତଦନ୍ତ ପାଇଁ ଗିରଫ କରାଯାଇଛି। ଏମାନେ ହିଂସା‌ ସୃଷ୍ଟି କରିବାପାଇଁ ଦାୟୀ। ଗଣମାଧ୍ୟମରେ ଉଦ୍‌ବୋଧନ ଦେଇ ଲକ୍ଷ୍ନୌ ଏସ୍‌ଏସପି କହିଛନ୍ତି, ପିଏଫ୍‌ଆଇର ୟୁପି ମୁଖ୍ୟ ୱାସିମ ଅହମଦ, କୋଷାଧ୍ୟକ୍ଷ ନଦୀମ ଅଲି ଏବଂ ଅନ୍ୟ ଜଣେ ସଦସ୍ୟ ଆଶଫକ୍‌ଙ୍କୁ ହିଂସା ପାଇଁ ଗିରଫ କରାଯାଇଛି। ଉକ୍ତ ୩ ଜଣ ହିଂସା ପାଇଁ ଉସୁକାଇଥିଲେ ବୋଲି ସ୍ବୀକାର କରିଛନ୍ତି। ଦଙ୍ଗା ପଛରେ ଏହି ୩ ଜଣ ମାଷ୍ଟରମାଇଣ୍ଡ୍‌ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେମାନେ ଆନ୍ଦୋଳନ ନିମନ୍ତେ ଲୋକମାନଙ୍କୁ ଏକଜୁଟ କରିବାପାଇଁ ଆପତ୍ତିଜନକ ସାମଗ୍ରୀ ବାଣ୍ଟୁଥିଲେ ଏବଂ ବନ୍ଧୁକ ମଧ୍ୟ ଯୋଗାଇଥିଲେ। ସିଏଏ ବିରୋଧୀ ଆନ୍ଦୋଳନ ଆଳରେ ରାଜ୍ୟର ସମସ୍ତ ପ୍ରମୁଖ ସହରରେ ହିଂସା ପାଇଁ ବଡ଼ ଷଡ଼ଯନ୍ତ୍ର ହୋଇଛି। ସିଏଏ ବିରୋଧୀ ଆନ୍ଦୋଳନ ପାଇଁ ଉତ୍ତରପ୍ରଦେଶରେ ସବୁଠୁ ଅଧିକ ଲୋକଙ୍କ ଜୀବନ ଯାଇଛି।

ସମ୍ବନ୍ଧିତ ଖବର