ଋଷି ସୁନକଙ୍କ ପାଇଁ ୩ ଗୁରୁତ୍ବପୂର୍ଣ୍ଣ ଚ୍ୟାଲେଂଜ

ନୂଆଦିଲ୍ଲୀ: ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ସୋମବାର ଦିନ ସୁନକ ବିନା ପ୍ରତିଦ୍ବନ୍ଦ୍ବିତାରେ କଞ୍ଜରଭେଟିଭ ପାର୍ଟିର ନୂଆ ନେତା ହୋଇଛନ୍ତି। ‌ତେବେ ସୁନନଙ୍କ ରାସ୍ତାରେ ଅନେକ ଚ୍ୟାଲେଂଜ ରହିଛି। ସେଥିମଧ୍ୟରୁ ୩ଟି ପ୍ରମୁଖ ଚ୍ୟାଲେଂଜ ‌ହେଉଛି –

ଆର୍ଥିକ ସଙ୍କଟ : ଲିଜ ଟ୍ରସ୍‌ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାପରେ ଆର୍ଥିକ ସଙ୍କଟର ସମାଧାନ ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଏଥିରେ ସେ ବିଫଳ ହେବାପରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଦେଲେ। ଏବେ ଋଷି ସୁନକଙ୍କ ରାସ୍ତାରେ ସମାନ ଚ୍ୟା‌ଲେଂଜ। ବ୍ରିଟେନରେ ମୁଦ୍ରାସ୍ଫୀତି ମୁଦ୍ରସ୍ଫୀତି ୧୦ ପ୍ରତିଶତ ବଢ଼ିଯାଇଛି । କୌଣସି ଜି୭ ରାଷ୍ଟ୍ରରେ ଏହା ସର୍ବାଧିକ। ଖାଦ୍ୟ ଦର ମଧ୍ୟ ବଢ଼ି ଚାଲିଛି। ପ୍ରଧାନମନ୍ତ୍ରୀ ହେବାପରେ ଆର୍ଥିକ ସଙ୍କଟ ଦିଗରେ କାମ କରିବା ସୁନକଙ୍କ ପ୍ରଥମ ଏବଂ ପ୍ରମୁଖ କାମ ହେବ।

ଦଳୀୟ ଏକତା : ସୁନକ ପୂର୍ବରୁ କହିଥିଲେ ଯେ ଦଳ ଏବଂ ଦେଶକୁ ଏକ କରିବା ତାଙ୍କର ପ୍ରଥମ ପ୍ରାଥମିକତା। କଞ୍ଜରଭେଟିଭ ପାର୍ଟିରେ ଦଳୀୟ କନ୍ଦଳ ଦେଖାଦେଇଛି। ଦୀର୍ଘ ୧୨ ବର୍ଷ ପରେ କଞ୍ଜରଭେଟିଭ୍‌ ପାର୍ଟିରେ ଯେଉଁ ବିଭେଦ ଦେଖାଦେଇଛି ତାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ୬୦ ମନ୍ତ୍ରୀଙ୍କ ଆସ୍ଥା ହରାଇବାପରେ ବୋରିସ ଜନସନ୍‌ ଇସ୍ତଫା ଦେଇଥିଲେ। ଟ୍ରସ୍‌ ମଧ୍ୟ ଦଳୀୟ ନେତାଙ୍କ ସମର୍ଥନ ହରାଇବାରୁ ମାତ୍ର ୪୪ ଦିନ ପରେ ଇସ୍ତଫା ଦେଇଥିଲେ। ୨୦୧୬ପରେ ସୁନକ ହେଉଛନ୍ତି ପଞ୍ଚମ ଟୋରି ପ୍ରଧାନମନ୍ତ୍ରୀ। ସୁନକଙ୍କ ପ୍ରତି ଟୋରି ସାଂସଦଙ୍କ ବିପୁଳ ସମର୍ଥନ ରହିଛି। ଏହା ସତ୍ତ୍ବେ ଜନସନ୍‌ଙ୍କର କିଛି ସମର୍ଥକ ଏହା ବିଶ୍ବାସ କରନ୍ତି ଯେ ସୁନକଙ୍କ ପାଇଁ ଜନସନ୍‌ ସରକାର ଭାଙ୍ଗିଗଲା। ଦଳ ମଧ୍ୟରେ ବିଭେଦ ବଢ଼ୁଥିବାରୁ ସୁନକ ଏହାର ସମାଧାନ କରିବେ। କଞ୍ଜର‌ଭେଟିଭ ପାର୍ଟିରେ ସଦସ୍ୟଙ୍କ ଆତ୍ମବିଶ୍ବାସ ଦୃଢ଼ କରିବା ସୁନକଙ୍କ ପାଇଁ ପ୍ରମୁଖ ଚ୍ୟାଲେଂଜ। ୩ ବର୍ଷରେ ରେକର୍ଡ ୩ ଥର ପ୍ରଧାନମନ୍ତ୍ରୀ ବଦଳିବା ସହ ଶାସକ ଦଳର ‌ଲୋକପ୍ରିୟତା ୧୪ ପ୍ରତିଶତକୁ ଖସି ଆସିଛି। ଏହାର ଅର୍ଥ ହେଉଛି ଯଦି ବର୍ତ୍ତମାନ ନିର୍ବାଚନ ହୁଏ ତେବେ ଏତିକି ପ୍ରତିଶତ ଲୋକ କଞ୍ଜରଭେଟିଭ ପାର୍ଟିକୁ ଭୋଟ୍‌ ଦେବେ। ଶାସକ ଦଳର ଏଭଳି ଦୁର୍ବଳତା ବିରୋଧୀ ଦଳକୁ ସୁଦୃଢ଼ କରିବ। ତେଣୁ ସୁନକ ଦଳକୁ ସୁଦୃଢ଼ କରିବା ଦିଗରେ ଏବଂ ଦଳୀୟ ଏକତା ପାଇଁ କାମ କରିବେ।

ଶକ୍ତି ସଙ୍କଟ : ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣ ଏବଂ ରୁଷ୍‌ ଉପରେ ପଶ୍ଚିମ ରାଷ୍ଟ୍ରର କଟକଣା ଦ୍ବାରା ୟୁରୋପରେ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହୋଇଛି। ବ୍ରିଟେନ୍‌ରେ ପ୍ରତି ଘର ପିଛା ବାର୍ଷିକ ଶକ୍ତି ମୂଲ୍ୟ ଗତବର୍ଷ ତୁଳନାରେ ୩ ଗୁଣା ବଢ଼ିଛି। ଆଗକୁ ଶୀତ ଆସୁଥିବାରୁ ବ୍ରିଟିସ ନାଗରିକମାନେ ଉଷୁମ ରହିବା ପାଇଁ ଅଧିକ ବିଦ୍ୟୁତଶକ୍ତି ବ୍ୟବହାର କରିବେ। ଚାହିବା ବଢ଼ିଲେ ମୂଲ୍ୟ ବି ବଢ଼ିବ। ତେବେ ଶକ୍ତି ମୁଲ୍ୟକୁ ସ୍ଥିର ରଖିବା ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସୁନକଙ୍କ ଉପରେ ରହିବ।

ସମ୍ବନ୍ଧିତ ଖବର