ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳୟ ଭିଡିଓ ଲିକ୍‌ କେଳେଙ୍କାରୀର ତଦନ୍ତ କରିବ ୩ଜଣିଆ ମହିଳା ସଦସ୍ୟ ଥିବା କମିଟି

ଚଣ୍ଡୀଗଡ଼: ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳର ‘ଗାର୍ଲସ୍‌ ହଷ୍ଟେଲ୍‌’ ଭିଡିଓ ଲିକ୍‌ ଘଟଣାର ତଦନ୍ତ ପାଇଁ ପଞ୍ଜାବ ସରକାର ଆଜି ୩ଜଣିଆ ସଦସ୍ୟବିଶିଷ୍ଟ ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଭେସନ୍‌ ଟିମ୍‌’ (ଏସ୍‌ଆଇଟି) ଗଠନ କରିବାକୁ ଆଦେଶ ଦେଇଛନ୍ତି।

ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ପଞ୍ଜାବ ପୁଲସି ‘ଡିଜିପି’ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ନିର୍ଦେଶକ୍ରମେ ସମସ୍ତ ମହିଳା ସଦସ୍ୟ ଥିବା ୩ଜଣିଆ ସଦସ୍ୟବିଶିଷ୍ଟ ‘ଏସ୍‌ଆଇଟି’ ଟିମ୍‌ ବରିଷ୍ଠ ‘ଆଇପିଏସ୍‌’ ଅଧିକାରୀ ଗୁରୁପ୍ରୀତ ଦେଓଙ୍କ ତତ୍ତ୍ବାବଧାନରେ ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳୟ ମାମଲାର ତଦନ୍ତ କରିବ।

ଏହି ମାମଲାରେ ଜଣେ ଛାତ୍ରୀ ଓ ଆଉ ୨ଜଣଙ୍କୁ ଗିରଫ କରାଯାଇଛି। ତ୍ବରିତ ସ‌ହଯୋଗ ନିମନ୍ତେ ହିମାଚଳ ପ‌ୁଲିସ ‘ଡିଜିପି’ଙ୍କୁ ଧନ୍ୟବାଦ।  ଇଲେକ୍ଟ୍ରୋନିକ୍‌ ଉପକରଣ ଜବତ କରାଯାଇ ଫୋରେନ୍‌ସିକ୍‌ ଯାଞ୍ଚ ନିମନ୍ତେ ପଠାଯାଇଛି। ‘ଏସ୍‌ଆଇଟି’ ଘଟଣାର ମୂଳଯାଏଁ ଯିବ। ଏଥିରେ ସମ୍ପୃକ୍ତ ଥିବା କୌଣସି ବ୍ୟକ୍ତି ନିସ୍ତାର ପାଇବେ ନାହିଁ। ଶାନ୍ତି ଓ ସହାବସ୍ଥାନ ବଜାୟ ରଖିବାକୁ ସମସ୍ତକୁ ନିବେଦନ। ଉଡ଼ା ଖବର‌କୁ ବିଶ୍ବାସ କରନ୍ତୁ ନାହିଁ। ଚ‌ାଲନ୍ତୁ, ସମାଜର ଶାନ୍ତି ପାଇଁ ମିଳିମିଶି କାମ କରିବା।

ଏହାଛଡ଼ା, ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷମାନେ ହଷ୍ଟେଲ୍‌ର ୨ଜଣ ୱାର୍ଡେନ୍‌ଙ୍କୁ ନିଲମ୍ବନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଭିଡିଓରେ ଦେଖାଯାଉଛନ୍ତି। ସେ ହିଁ ଭିଡିଓ ଲିକ୍‌ କରିଛନ୍ତି ବୋଲି କୁହାଯାଉଛି।

Image Courtesy of NDTV

ଏ ପର୍ଯ୍ୟନ୍ତ ଭିଡିଓ ଲିକ୍‌ ଘଟଣାରେ ସମ୍ପୃକ୍ତ ଥିବା ୩ଜଣଙ୍କୁ ଗିରଫ କରାଗଲାଣି। ରବିବାର ବିଳମ୍ବିତ ରାତ୍ରରେ ତୃତୀୟ ଅଭିଯୁକ୍ତ ୩୧ ବର୍ଷିୟ ରଙ୍କଜ ବର୍ମାଙ୍କୁ ପୁଲିସ ଗିରଫ କରିଛି। ଏହି କେଳେଙ୍କାରୀରେ ପୂର୍ବରୁ ଗିରଫ ହୋଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସେ ବିଶ୍ବବିଦ୍ୟାଳୟର ଛାତ୍ରୀ। ଆରଜଣକ ହେଉଛନ୍ତି ସିମ୍‌ଲାବାସୀ ସନ୍ନୀ ମେହେଟ୍ଟା।

କେବଳ ଉପରୋକ୍ତ ୩ଜଣଙ୍କ ଛଡ଼ା ଆଉ କେହି ଭିଡିଓ ଲିକ୍‌ କେଳେଙ୍କାରୀରେ ସମ୍ପୃକ୍ତ ଅଛନ୍ତି କି, ନାହାନ୍ତି, ତାହା ଜାଣିବାକୁ ପୁଲିସ ତଦନ୍ତ ଚଳାଇଛି।

ବିଶ୍ବବିଦ୍ୟାଳୟ ପ୍ରଶାସନ ସମସ୍ତ ଦାବି ମାନି ନେବାରୁ ଶନିବାର ରାତିରୁ ପ୍ରତିବାଦରତ ଛାତ୍ରଛାତ୍ରୀମାନେ ସୋମବାର ପ୍ରତ୍ୟୁଷରୁ ପ୍ରତିବାଦ ପ୍ରତ୍ୟାହାର କରି ନେଇଛନ୍ତି। କିନ୍ତୁ, ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆଗାମୀ ୬ ଦିନ ଅର୍ଥାତ୍‌ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ପାଠପଢ଼ା ବାତିଲ କରିଥିବାରୁ ଛାତ୍ରଛାତ୍ରୀମାନେ ଘରକୁ ଚାଲିଯାଉଛନ୍ତି।

ସମ୍ବନ୍ଧିତ ଖବର