୩ ମାସର ଯୁଦ୍ଧ, ଅକଳ୍ପନୀୟ କ୍ଷୟକ୍ଷତି: ରୁଷ୍‌ର ବୋମାବର୍ଷା ଜାରି, ପୂର୍ବ ଓ ଦକ୍ଷିଣ ୟୁକ୍ରେନ୍‌ କବ୍‌ଜା ଲକ୍ଷ୍ୟ

ମସ୍କୋ/କିବ୍‌: ମେ ୨୪ ତାରିଖରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଚତୁର୍ଥ ମାସରେ ପ୍ରବେଶ କରିବ। ଗତ ୩ ମାସର ଲଢ଼େଇରେ ୟୁକ୍ରେନ୍‌ର ବ୍ୟାପକ ଅଞ୍ଚଳ ଛାରଖାର ହୋଇଯାଇଛି ଏବଂ ରୁଷ୍‌ ମଧ୍ୟ ୧୦ ହଜାରରୁ ଅଧିକ ସୈନିକ ହରାଇଛି। ରୁଷ୍‌ ଦ୍ବିତୀୟ ବିଶ୍ବ ଯୁଦ୍ଧ ପରେ ସବୁଠାରୁ ବଡ଼ ଆକ୍ରମଣ ୟୁକ୍ରେନ୍‌ରେ ଜାରି ରଖିଛି । ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହାକୁ ସ୍ବତନ୍ତ୍ର ସାମରିକ ଅଭିଯାନ କହୁଥିବା ବେଳେ ଅସଲରେ ଏହା ଭୀଷଣ ଯୁଦ୍ଧରେ ପରିଣତ ହୋଇଛି। ୫୦ ଲକ୍ଷରୁ ଅଧିକ ଲୋକ ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ପଳାୟନ କରିଛନ୍ତି। ୨୦ରୁ ଅଧିକ ସହରର ଧ୍ବଂସସ୍ତୁପରେ ପରିଣତ ହେଲାଣି। ଗୁରୁତ୍ବପୂର୍ଣ୍ଣ ବନ୍ଦର ସହର ମାରିୟୁପୋଲ ଏବେ ସଂପୂର୍ଣ୍ଣ ରୁଷ୍‌ ଦଖଲରେ ରହିଛି। ରୁଷ୍‌ ସେନାର ପ୍ରାୟ ୧୨ ଶହ ଟ୍ୟାଙ୍କ ଏବଂ ଶତାଧିକ ବିମାନ ନଷ୍ଟ କରିଥିବା ୟୁକ୍ରେନ୍‌ ଦାବି କରିଥିବା ବେଳେ କ୍ଷେପଣାସ୍ତ୍ର ମାଡ଼ରେ ବିଶାଳ ଯୁଦ୍ଧ ଜାହାଜ ମସ୍କୋଭା ମଧ୍ୟ କୃଷ୍ଣସାଗରରେ ବୁଡ଼ି ଯାଇଛି। ତେବେ ରୁଷ୍‌ର ଆକ୍ରମଣ ଥମିବାର ନାମ ନେଉନାହିଁ ଏବଂ ଏହା ନୂଆ ନୂଆ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପ୍ରୟୋଗ କରି ୟୁକ୍ରେନ୍‌ର ନାହିଁ ନଥିବା କ୍ଷୟକ୍ଷତି ଘଟାଇଛି। ପଶ୍ଚିମ ରାଷ୍ଟ୍ରମାନଙ୍କ ଦ୍ବାରା ଅତି କଠୋର କଟକଣାକୁ ରାଷ୍ଟ୍ରପତି ପୁଟିନ ସଫଳ ମୁକାବିଲା କରି ରୁଷ୍‌ର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ ରଖିପାରିଛନ୍ତି। ଆମେରିକା ଓ ନାଟୋ ରାଷ୍ଟ୍ରମାନଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି।

ଫେବୃଆରୀ ୨୪ରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଥିଲା ଯେତେବେଳେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନକୁ ସାମରିକ ଶିକ୍ତିବିହୀନ ଏବଂ ନାଜିବିହୀନ କରିବା ପାଇଁ ଏକ ସ୍ବତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ ନାଁରେ ସେନା ପଠାଇଥିଲେ। ୟୁକ୍ରେନ ସେନା ଉତ୍ତର, ପୂର୍ବ ଓ ଦକ୍ଷିଣରେ ଏକକାଳୀନ ଆକ୍ରମଣ କରିଥିଲା। ୟୁକ୍ରେନ ଯୁଦ୍ଧର ଗୋଟିଏ ଦିନ ପରେ ଚେର୍ନୋବିଲ ପରମାଣୁ କେନ୍ଦ୍ରକୁ ରୁଷ୍ ନିଜ ନିୟନ୍ତ୍ରଣକୁ ନେଇଗଲା, ଯେଉଁଠି ଏପ୍ରିଲ ୧୯୮୬ରେ ବିଶ୍ବର ସବୁଠାରୁ ଭୟଙ୍କର ଆଣବିକ ବିପର୍ଯ୍ୟୟ ସଂଘଟିତ ହୋଇଥିଲା। ଆକ୍ରମଣର ଚାରି ଦିନ ପରେ ଉଭୟ ପକ୍ଷ ମଧ୍ୟରେ ଶାନ୍ତି ଆଲୋଚନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ଏଥରୁ କୌଣସି ସୁଫଳ ମିଳିଲା ନାହିଁ। ସେହି ଦିନ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ୟୁକ୍ରେନ୍ ପାଇଁ ୟୁରୋପୀୟ ସଂଘର ସଦସ୍ୟତା ଆବେଦନପତ୍ରରେ ଆନୁଷ୍ଠାନିକ ଭାବେ ଦସ୍ତଖତ କରିଥିଲେ। ତେବେ ଯୁଦ୍ଧ ଭିତରେ ଏହା ତତ୍କାଳ କାର୍ଯ୍ୟକାରୀ କରିବାକୁ ୟୁରୋପୀୟ ସଂଘ ସାହସ ଜୁଟାଇ ପାରିନାହିଁ। ଇତିମଧ୍ୟରେ ଅନେକ ପର୍ଯ୍ୟାୟ କଥାବାର୍ତ୍ତା ଭଣ୍ଡୁର ହୋଇଯାଇଥିବା ବେଳେ ଯୁଦ୍ଧ ଆହୁରି ଲମ୍ବା ଚାଲିବ ବୋଲି ସ୍ପଷ୍ଟ ହୋଇଯାଇଛି।

ୟୁକ୍ରେନ୍‌ର ଖାରକିଭ, ମାରିୟୁପୋଲ, ଇର୍‌ପିନ ଏବଂ ଖେରସନ ସମେତ ୨୦ରୁ ଅଧିକ ସହର ଏବେ ମାଟିରେ ମିଶିଗଲାଣି। ୟୁରୋପର ବୃହତ୍ତମ ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର ଜାପୋରିଜିଆ ଆଣବିକ ବିଦ୍ୟୁତ୍ କେନ୍ଦ୍ର ଏବେ ରୁଷ୍‌ର ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ଏବଂ ୟୁକ୍ରେନ୍‌ର ୩୦ ପ୍ରତିଶତ ଅଞ୍ଚଳକୁ ରୁଷ୍‌ ଅନ୍ଧାରରେ ରଖିଛି । ୟୁକ୍ରେନ ନାଟୋରେ ସାମିଲ ହେବା ଯୋଜନା ତ୍ୟାଗ କରିଥିଲେ ମଧ୍ୟ ରୁଷ୍‌ର ପଡ଼ୋଶୀ ରାଷ୍ଟ୍ର ଫିନ୍‌ଲାଣ୍ଡ୍‌ ଏବଂ ସ୍ବିଡେନ୍‌ ନାଟୋରେ ସାମିଲ ହେବାକୁ ଆବେଦନ କରି ଉତ୍ତେଜନା ବଢ଼ାଇଛନ୍ତି। ମାରିୟୁପୋଲକୁ ସମ୍ପୂର୍ଣ୍ଣ ଦଖଲ କରିଥିବା ମସ୍କୋ ଏବେ ପୂର୍ବ ଓ ଦକ୍ଷିଣ ୟୁକ୍ରେନ୍‌କୁ ପୂର୍ଣ୍ଣ ନିୟନ୍ତ୍ରଣକୁ ନେବାକୁ ଯୋଜନା କରି ଭୟାନକ ଆକ୍ରମଣ ଜାରି ରଖିଛି। ଏପ୍ରିଲ୍ ୧୪ରେ କୃଷ୍ଣସାଗରରେ ରୁଷର ପ୍ରମୁଖ ଯୁଦ୍ଧ ଜାହାଜ କ୍ଷେପଣାସ୍ତ୍ର ମାଡ଼ରେ ନଷ୍ଟ ହୋଇଯିବା ପରଠାରୁ ରୁଷ୍‌ ରଣନୀତି ବଦଳାଇ ଦେଇଛି ଏବଂ ବିମାନ ଆକ୍ରମଣକୁ ଜୋରଦାର କରିଛି। ନାଟୋ ଅସ୍ତ୍ର ସହାୟତାରେ ୟୁକ୍ରେନ୍‌ ରୁଷ୍‌ ସେନାର ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ଦାବି କରୁଥିଲେ ମଧ୍ୟ ଏହାର ଗୋଟିଏ ପରେ ଗୋଟିଏ ସହର ଛାରଖାର ହୋଇଚାଲିଛି।

ସମ୍ବନ୍ଧିତ ଖବର