ଲକ୍ଷ୍ନୌ: ଜୁଲାଇ ୧୧ରେ ଉତ୍ତରପ୍ରଦେଶରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ ହୋଇଥିଲା। ଉତ୍ତରପ୍ରଦେଶ ଏଟିଏସ୍ (ଆତଙ୍କବାଦୀ ନିରୋଧ ସ୍କ୍ବାଡ୍) ଲକ୍ଷ୍ନୌରେ ଚଢ଼ଉ କରି ଅଲ୍ କାଏଦାର ଏକ ଶଖା ସଂଗଠନର ପର୍ଦ୍ଦାଫାସ କରିଥିଲା। ଏଟିଏସ୍ ୭ ଆତଙ୍କବାଦୀ ରହୁଥିବା ଘରେ ଚଢ଼ଉ କରି ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା | ଆଜି ଗିରଫ ଦୁଇଜଣଙ୍କ ସହ ସମ୍ପର୍କରେ ଥିବା ଅନ୍ୟ ୩ଜଣଙ୍କୁ ଗିରଫ କରିଛି ୟୁପି ଏଟିଏସ୍ ।
ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ମହମ୍ମଦ ମୁସ୍ତାକିମ (୪୪), ମହମ୍ମଦ ମୋଇଡ (୨୯) ଏବଂ ଶକିଲ (୩୫)ଙ୍କୁ ଗିରଫ କରାଯାଇଛି। ଏଟିଏସ୍ ଅନୁଯାୟୀ, ସେମାନେ ନିଜ ଅପରାଧକୁ ସ୍ୱୀକାର କରିଛନ୍ତି। ଏବେ ସେମାନଙ୍କୁ କୋର୍ଟରେ ହାଜର କରାଯିବ |
ଉଲ୍ଲେଖଯୋଗ୍ୟ, ଜୁଲାଇ ୧୧ରେ ଗୁଇନ୍ଦା ରିପୋର୍ଟ ପାଇ ଏଟିଏସ ଦୁଇଟି ସ୍ଥାନରେ ଚଢଉ କରିଥିଲା । ଏହି ଚଢଉ ବେଳେ ଏଟିଏସ ପକ୍ଷରୁ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଅଲକାଇଦା ସହ ସଂପୃକ୍ତ ଅନସର-ଗଜଓ୍ବାଟ-ଉଲ-ହିନ୍ଦର ଦୁଇ ସଂଦିଗ୍ଧ ଆତଙ୍କବାଦୀ ମସିରୁଦ୍ଦିନ ଓ ମିନହାଜଙ୍କୁ ଗିରଫ କରାଯାଇଥିଲା । ଏହି ଦୁଇ ସ୍ଥାନରୁ ବିସ୍ଫୋରକ, ବିଦେଶୀ ପିସ୍ତଲ, ପ୍ରେସର କୁକର ବୋମା ଜବତ ହୋଇଥିଲା । ତେବେ ଘଟଣାସ୍ଥଳରୁ ଆଉ ୫ ଜଣ ସଂଦିଗ୍ଧ ଆତଙ୍କବାଦୀ ଫେରାର ହେବାକୁ ସକ୍ଷମ ହୋଇଛନ୍ତି । ସେମାନଙ୍କୁ ଧରିବାକୁ ଉତ୍ତରପ୍ରଦେଶ ପୁଲିସ ଏକ ବଡ଼ଧରଣର ଅଭିଯାନ ଚଳାଇଛି ।