ଇରାନରେ ଆଉ ୩ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ

ତେହେରାନ : ଆନ୍ଦୋଳନକାରୀଙ୍କ ଉପରେ ଦିନକୁ ଦିନ ଅଧିକ କଠୋର ହେଉଛନ୍ତି ଇରାନ ସରକାର । ଏବେ ଆନ୍ଦୋଳନକାରୀଙ୍କୁ  ମୃତ୍ୟୁଦଣ୍ଡ ଦିଆଯାଉଥିବାରୁ ତାହା ସମଗ୍ର ବିଶ୍ବରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।

ପୂର୍ବରୁ ଦୁଇ ଜଣ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ଇରାନର କୋର୍ଟ ଗୁରୁବାରଦିନ ଆଉ ୩ ଜଣ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ଏହା ଫଳରେ ଚଳିତ ସପ୍ତାହରେ ଏପର୍ଯ୍ୟନ୍ତ ମୋଟ ୫ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆସରିଲାଣି ।

ଇରାନ ହ୍ୟୁମାନ ରାଇଟ୍ସ ନାମକ ମାନବ ଅଧିକାର ସଂଗଠନର ରିପୋର୍ଟ ଅନୁସାରେ ଇରାନ ପ୍ରାୟ ୨୦ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇପାରେ । ଏହା ମାଧ୍ୟମରେ ଆନ୍ଦୋଳନକାରୀଙ୍କୁ କଡ଼ା ଜବାବ ଦେବା ଇରାନ ସରକାରଙ୍କ ଲକ୍ଷ୍ୟ ।

ତେବେ ଇରାନରେ ୧୫ ହଜାର ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି କେତେକ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଏଥିରେ କୌଣସି ସତ୍ୟତା ନାହିଁ ବୋଲି ଜଣାପଡ଼ିଛି ।

ଗତ ରବିବାରଦିନ ପ୍ରଥମ ଥର ପାଇଁ ଜଣେ ଆନ୍ଦୋଳନକାରୀକୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ସେ ଇଶ୍ବରଙ୍କ ଶତ୍ରୁ, ଦୁର୍ନୀତିଗ୍ରସ୍ତ ଓ ଜାତୀୟ ସୁରକ୍ଷା ପାଇଁ ବିପଦ ଦର୍ଶାଇ ତାକୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଇରାନ ଆଇନ ଅନୁସାରେ ଇଶ୍ବରଙ୍କ ଶତ୍ରୁ ହେବା ସବୁଠାରୁ ବଡ଼ ଅପରାଧ । ସେହିପରି ମଙ୍ଗଳବାରଦିନ ଆଉ ଜଣକୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଇରାନରେ ଫାଶୀଖୁଣ୍ଟରେ ଝୁଲାଇ ମୃତ୍ୟୁଦଣ୍ଡ ଦିଆଯାଏ । ବେଳେବେଳେ ସର୍ବସାଧାରଣ ସ୍ଥାନରେ ବି ଫାଶୀଖୁଣ୍ଟରେ ଝୁଲାଇଦିଆଯାଏ ।

ଅନ୍ୟପକ୍ଷରେ ସେପ୍ଟେମ୍ବରରେ ମାସା ଅମିନି ନାମକ ଯୁବତୀଙ୍କ ମୃତ୍ୟୁପରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ବି ଜାରି ରହିଛି । ଏହି ଆନ୍ଦୋଳନରେ ଏପର୍ଯ୍ୟନ୍ତ ୩୪୨ ଜଣ ଲୋକ ପ୍ରାଣ ହରାଇସାରିଲେଣି । ସେମାନଙ୍କ ମଧ୍ୟରେ ୪୩ ଜଣ ଶିଶୁ ରହିଛନ୍ତି ।

ସମ୍ବନ୍ଧିତ ଖବର