ଦିଲ୍ଲୀରେ ରାଜ୍ୟ କଂଗ୍ରେସର ୩ ନେତା! କେନ୍ଦ୍ରୀୟ ନେତାଙ୍କୁ ଭେଟିଲେ

ନୂଆଦିଲ୍ଲୀ : ସଦ୍ୟ ସମାପ୍ତ ଦିଲ୍ଲୀ ବିଧାନସଭାରେ ଶୋଚନୀୟ ପରାଜୟବରଣ କରିଛି କଂଗ୍ରେସ। ଏହାପୂର୍ବରୁ କିନ୍ତୁ ନିଷ୍ପତ୍ତି ନିଆଯାଇଥିଲା, ଗତ ସାଧାରଣ ନିର୍ବାଚନରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ରାଜ୍ୟର ସଂଗଠନକୁ ପ୍ରାଥମିକା ଭିତ୍ତିରେ ସଜାଡ଼ିବା ପାଇଁ ଦୃଷ୍ଟି ଦିଆଯିବ। ସେହିସବୁ ରାଜ୍ୟର କିଛି ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡକାଯାଇ ସେମାନଙ୍କର ମତାମତ ଓ ପରାମର୍ଶ ନିଆଯିବ। ନେତାମାନଙ୍କ ପାଖରୁ ତଥ୍ୟ ସଂଗ୍ରହ ପରେ ସମ୍ପୃକ୍ତ ରାଜ୍ୟରେ ପିସିସି ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହେବ। ଏହି କ୍ରମରେ ଓଡ଼ିଶାର ୩ ଜଣ ବରିଷ୍ଠ କଂଗ୍ରେସ ନେତା ଏଆଇସିସି କେନ୍ଦ୍ରୀୟ ନେତୃତ୍ବକୁ ସାକ୍ଷାତ କରିଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ବିଧାୟକ ହୋଇଥିବାବେଳେ ଅନ୍ୟ ଜଣେ ପୂର୍ବତନ ପିସିସି ସଭାପତି ବୋଲି ଜଣାପଡ଼ିଛି। ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଏହା ଜଣାପଡ଼ିଥିଲେ ମଧ୍ୟ ସମ୍ପୃକ୍ତ ନେତା ଏ ସମ୍ପର୍କରେ ମୁହଁ ଖୋଲିନାହାନ୍ତି।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରୀୟ ନେତୃତ୍ବଙ୍କଠାରୁ ସମ୍ପୃକ୍ତ ବିଧାୟକଙ୍କୁ ଦିଲ୍ଲୀ ଆସିବା ପାଇଁ ଡକରା ଆସିଥିଲା। ପ୍ରଦେଶ କଂଗ୍ରେସ କମିଟିର ଜଣେ ପୂର୍ବତନ ସଭାପତି ଏଥିରେ ସାମିଲ୍‌ ହୋଇଥିଲେ। ଏହି ନେତାମାନେ କେତେଜଣ ବରିଷ୍ଠ କେନ୍ଦ୍ରୀୟ ନେତାଙ୍କୁ ସାକ୍ଷାତ କରିଛନ୍ତି। ମାତ୍ର, କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କୁ ଏଯାବତ୍‌ ଭେଟି ପାରିନାହାନ୍ତି। ଖୁବ୍‌ଶୀଘ୍ର ଓଡ଼ିଶା କଂଗ୍ରେସରେ ଏକ ବଡ଼ଧରଣର ଅଦଳବଦଳ ହେବାର ସମ୍ଭାବନା ଥିବ‌ାରୁ ଏହି ନେତାଙ୍କ ଦିଲ୍ଲୀ ଗସ୍ତ ଚର୍ଚ୍ଚାର ଖୋରାକ ଯୋaଗାଇଛି। ତେବେ, ଏ ସମ୍ପର୍କରେ ସମ୍ପୃକ୍ତ ନେତା ମୁହଁ ଖୋଲିନାହାନ୍ତି।

ଉଲ୍ଲେଖଯୋଗ୍ୟ, ଏଥିପୂର୍ବରୁ ଓଡ଼ିଶାରେ କଂଗ୍ରେସର ନେତୃତ୍ବ ପରିବର୍ତ୍ତନ କରାଯିବ ନାହିଁ ବୋଲି ଏଆଇସିସି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ କହିସାରିଛନ୍ତି।

ସମ୍ବନ୍ଧିତ ଖବର