ସନ୍ଦିଗ୍ଧ ଆତଙ୍କବାଦୀ ସଂଗଠନଦ୍ୱାରା ‘ଓଏନ୍‌ଜିସି’ର ୩ କର୍ମଚାରୀ ଅପହୃତ, ପରିତ୍ୟକ୍ତ ଗାଡ଼ି ଉଦ୍ଧାର

ଗୌହାଟି: ଆସାମର ଶିବନଗର ଜିଲ୍ଲା ଅନ୍ତର୍ଗତ ଲକୁଓ୍ଵା ଅଏଲ୍‌ ଫିଲ୍‌ଡ୍‌ର ଏକ ଖନନସ୍ଥଳରୁ ବୁଧବାର ପ୍ରତ୍ୟୁଷରେ ସନ୍ଦିଗ୍ଧ ସଶସ୍ତ୍ର ଆତଙ୍କବାଦୀମାନେ ‘ଅଏଲ୍‌ ଆଣ୍ଡ୍‌ ନେଚୁରାଲ୍‌ ଗ୍ୟାସ୍‌ କର୍ପୋରେସନ୍‌ ଲିମିଟେଡ୍‌’ର (ଓଏନ୍‌ଜିସି) ୩ଜଣ କର୍ମଚାରୀଙ୍କୁ ଅପହରଣ କରିନେଇଛନ୍ତି।

‘ଓଏନ୍‌ଜିସି’ର ଦୁଇଜଣ ଜୁନିଅର୍‌ ଇଞ୍ଜିନିୟର୍‌ ଆସିଷ୍ଟାଣ୍ଟ୍‌ (ପ୍ରଡକ୍‌ସନ୍‌) ଏବଂ ଜଣେ ଜୁନିୟର୍‌ ଟେକ୍ନିସିଆନ୍‌ଙ୍କୁ (ପ୍ରଡକ୍ସନ୍‌) ଦଳେ ସଶସ୍ତ୍ର ଆତଙ୍କବାଦୀ ‘ଓଏନ୍‌ଜିସି’ର ଗୋଟାଏ ‘ଅପରେସ୍‌ନାଲ୍‌’ ଗାଡ଼ିରେ ଅପହରଣ କରି ନେଇଛନ୍ତି।

ପରେ ଉକ୍ତ ଗାଡ଼ିଟି ଆସାମ-ନାଗାଲାଣ୍ଡ୍‌ ସୀମାନ୍ତ ନିକଟ ନିମୋନଗର ଜଙ୍ଗଲରୁ ପରିତ୍ୟକ୍ତ ଅବସ୍ଥାରେ ମିଳିଛି। ଲକୁଓ୍ଵା ଅଞ୍ଚଳର ରୋମୋନିଆ ଖନନସ୍ଥଳରୁ ଆତଙ୍କବାଦୀମାନେ ‘ଓଏନ୍‌ଜିସି’ର ଉକ୍ତ ୩ଜଣ କର୍ମଚାରୀଙ୍କୁ ଅପହରଣ କରି ନେଇଛନ୍ତି।

Image Courtesy of Mint

ଅପହୃତ କର୍ମଚାରୀମାନେ ହେଲେ, ମୋହିନୀ ମୋହନ ଗୋଗୋଇ, ଋତୁଲ ସାଇକିଆ ଏବଂ ଅଲକେଶ ସାଇକିଆ।

‘ଓଏନ୍‌ଜିସି’ ସ୍ଥାନୀୟ ଥାନାରେ ଘଟଣା ସଂକ୍ରାନ୍ତରେ ଅଭିଯୋଗ କରିଛି।

ରିପୋର୍ଟକୁ ସୁନିଶ୍ଚିତ କରିବାକୁ ଯାଇ ଶିବନଗର ଜିଲ୍ଲା ପୁଲିସ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ଅମିତାଭ ସିହ୍ନା କହିଛନ୍ତି, ଲକୁଓ୍ଵା ଅଏଲ୍‌ ଫିଲ୍‌ଡ୍‌ର ଖନନସ୍ଥଳରୁ ସଶସ୍ତ୍ର ଆତଙ୍କବାଦୀ ସଙ୍ଗଠନ ‘ଓଏନ୍‌ଜିସି’ର କର୍ମଚାରୀମାନଙ୍କୁ ଅପହରଣ କରି ନେଇଛନ୍ତି। ଅପହୃତ କର୍ମଚାରୀମାନଙ୍କୁ ଉଦ୍ଧାର କରିବା ଲାଗି ଆମେ ଅଭିଯାନ ଆରମ୍ଭ କରି ସମସ୍ତ ସନ୍ଦିଗ୍ଧ ଅଞ୍ଚଳକୁ କର୍ଡନ୍‌ କରିଛୁ। ଏହା କେଉଁ ଆତଙ୍କବାଦୀ ସଙ୍ଗଠନର କାର୍ଯ୍ୟ, ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର