ତାଲିବାନ ଗୁଳିରେ ଗଲାଣି ପାକିସ୍ତାନୀ ସୈନିକଙ୍କ ଜୀବନ, ତଥାପି ତାଲିବାନ ପ୍ରେମରେ ପାକିସ୍ତାନ

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ କଲା ପରେ ଖୁସିରେ ଆତ୍ମହରା ହୋଇପଡିଛି ପାକିସ୍ତାନ | ଏହାକୁ ନିଜର ବିଜୟ ଭାବେ ଅଭିହିତ କରିଥିବା ପାକିସ୍ତାନକୁ ଏବେ ତାଲିବାନ କିନ୍ତୁ ପାନେ ଚଖେଇଲାଣି | ଆଉ ଏବେ ଏଭଳି ଏକ ଖବର ଆସିଛି ଯାହାକି ପାକିସ୍ତାନର ମୁଖା ଖୋଲି ଦେଇଛି | ମିଳିଥିବା ସୂଚନା ମୁତାବକ ଗତ ଦୁଇ ଦିନ ମଧ୍ୟ ତାଲିବାନ ଗୁଳିରେ ଦୁଇ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହେଲାଣି | ଆଫଗାନିସ୍ତାନ କ୍ରମାଗତ ଭାବେ ଏହାର ସୀମାରୁ ପାକିସ୍ତାନ ଚେକ ପୋଷ୍ଟ ଉପରକୁ ଗୁଳି ଚଳାଉଛି। ରବିବାର ତାଲିବାନ ଗୁଳିରେ ଦୁଇ ପାକିସ୍ତାନୀ ସୈନିକ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ ଗୁରୁବାର ଦିନ ତାଲିବାନ ଗୁଳିରେ ଜଣେ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିଲା ।

ଏସବୁ ସତ୍ତ୍ୱେ ତାଲିବାନ ପ୍ରତି ପାକିସ୍ତାନର ପ୍ରେମ ଆଦୌ କମିନାହିଁ | ଯେତେବେଳେ ସମସ୍ତେ ତାଲିବାନ ଦାଉରୁ ରକ୍ଷା ପାଇବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ପାକିସ୍ତାନ ତାଲିବାନ ଦ୍ୱାରା ନିୟନ୍ତ୍ରିତ ଅଞ୍ଚଳରେ ଚିକିତ୍ସା ସହାୟତା ଦେବାକୁ ଘୋଷଣା କରୁଛି। ଆଫଗାନିସ୍ତାନରେ ଥିବା ପାକିସ୍ତାନର ରାଷ୍ଟ୍ରଦୂତ ମନସୁର ଅହମ୍ମଦ ଖାନ ଘୋଷଣା କରିଛନ୍ତି ଯେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଏକ ମାଲବାହୀ ବିମାନ ଇସଲାମାବାଦରୁ ମଜାର-ଏ-ସରିଫକୁ ଚିକିତ୍ସା ସହାୟତା ନେଇ ଯିବ |

ମଜାର-ଏ-ସରିଫ ହେଉଛି ସେହି ସହର ଯାହାକୁ ଅଗଷ୍ଟ ୧୪ ରେ ତାଲିବାନ ନିଜ ଅଧୀନକୁ ନେଇଥିଲା |ମନସୁର ଅହମ୍ମଦ ଖାନ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ଆଫଗାନିସ୍ତାନରେ ଅତ୍ୟାବଶ୍ୟକ ଜିନିଷର ଯୋଗାଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ତେବେ ଏହି ବିମାନ କେବେ ଆଫଗାନିସ୍ତାନରେ ଅବତରଣ କରିବ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର