ଜମ୍ମୁ-କଶ୍ମୀରର ସୋପୋରରେ ଆତଙ୍କବାଦୀ ଆକ୍ରମଣରେ ୩ସିଆରପିଏଫ ଯବାନ ସହିଦ, ୨ଜଣ ଆହତ

ସୋପୋର : ଆଜି ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)ର ତିନି ଜଣ ଯବାନ ସହିଦ ହୋଇଛନ୍ତି । ଏହା ସହ ୨ଜଣ ଯବାନ ଆହତ ହୋଇଥିବା ଜଣା ପଡିଛି |

ଆତଙ୍କବାଦୀମାନେ ଆଜି ବାରାମୁଲ୍ଲା ଜିଲ୍ଲାର ସୋପୋରରେ ସିଆରପିଏଫ ଏବଂ ପୁଲିସ କର୍ମଚାରୀଙ୍କ ମିଳିତ ଦଳ ଉପରେ ଆକ୍ରମଣ କରିଥିଲେ। ଯାହା ଦ୍ୱାରା ସିଆରପିଏଫର ୩ଜଣ ଯବାନଙ୍କ ମୃତ୍ୟୁ ଘଟିଛି | ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ଟ୍ରାକ୍ କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

ଗତକାଲି କିସ୍ତାୱାରର ଡାଚାନ ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ଜମ୍ମୁର ପୁଲିସ ଇନ୍ସପେକ୍ଟର ଜେନେରାଲ୍ କହିଥିଲେ ଯେ, ” ଦୁଇ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ପାଇବା ପରେ ପୁଲିସ, ଆର୍ମି ଏବଂ ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ ଫୋର୍ସ ବାହିନୀକୁ ଆତଙ୍କବାଦୀଙ୍କ ଦମନ ପାଇଁ ନିୟୋଜିତ କରାଯାଇଥିଲା। ପରେ ସେମାନେ ଡାଚାନ ଅଞ୍ଚଳରେ ପହଂଚିବା ପରେ ଏନକାଉଣ୍ଟର କରାଯାଇଥିଲା, ଯେଉଁଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ଆତଙ୍କବାଦୀଙ୍କ ନିକଟରୁ ଦୁଇଟି ଅସ୍ତ୍ର ଉଦ୍ଧାର କରାଯାଇଥିଲା।”

ସ୍ୱତନ୍ତ୍ର ପୁଲିସ ଅଧିକାରୀ (ଏସପିଓ) ପାସିଦ ଇକବାଲ ଏବଂ ବିଶାଲ ସିଂ ସୋମବାର କିସ୍ତାୱାରର ଉପର ଅଞ୍ଚଳରେ ପାଟ୍ରୋଲିଂ ଡ୍ୟୁଟିରେ ଥିବାବେଳେ ଏହି ଦୁଇ ଆତଙ୍କବାଦୀ ତାଙ୍କ ଉପରକୁ ଆକ୍ରମଣ କରିଥିଲେ | ଏହି ଘଟଣା ପରେ ଜଣେ ଗୁରୁତର ଆହତ ହେବା ସହ ଜଣେ ଏସପିଓଙ୍କ ମୃତ୍ୟୁ ଘଟିଥିଲା | ଘଟଣା ପରେ ଦୁଇ ଆତଙ୍କବାଦୀ ସେଠାରୁ ଫେରାର ହୋଇଯାଇଥିବା ବେଳେ ଶୁକ୍ରବାର ତାଙ୍କୁ ଏନକାଉଣ୍ଟର କରାଯାଇଥିଲା |

ସମ୍ବନ୍ଧିତ ଖବର