ପାଟନା: ପୁଲିସକୁ ଚୁନା ଲଗାଇ ଫେରାର ହୋଇଗଲେ ତିନିଜଣ କଏଦୀ | ବିହାରର ପାଟନାରେ ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ପାଟନା ସିଭିଲ କୋର୍ଟରେ ହାଜର ହେବା ପାଇଁ ଫୁଲୱାରୀ ସରିଫ ଜେଲରୁ କଏଦୀମାନଙ୍କୁ ନିଆଯାଉଥିବାବେଳେ ତିନି ଜଣ କଏଦୀ ଗାଡିରୁ ଡେଇଁ ପଳାଇ ଯାଇଛନ୍ତି । ପୁଲିସ କହିଛି ଯେ ସମୁଦାୟ ୪୫ ଜଣ କଏଦୀଙ୍କୁ ବିଭିନ୍ନ ମାମଲାରେ କୋର୍ଟରେ ହାଜର କରିବାକୁ ନିଆଯାଉଥିଲା | ଏନଡିପିଏସ୍ ଏବଂ ଆର୍ମସ୍ ଆକ୍ଟ ଅନୁଯାୟୀ ଫୁଲୱାରି ସରିଫ୍ ଜେଲରେ ରହୁଥିବା ତିନି ଜଣ କଏଦୀଙ୍କୁ କୋର୍ଟକୁ ନିଆଯାଉଥିଲା | କଏଦୀମାନଙ୍କ ବ୍ୟତୀତ ୫ ଜଣ ପୁଲିସ କର୍ମଚାରୀ ବସିଥିଲେ। ଆଜି ସକାଳ ପ୍ରାୟ ୧୧.୩୦ ସମୟରେ ଫୁଲୱାରୀ ସରିଫ ଜେଲରୁ ୪୫ ଜଣ କଏଦୀଙ୍କୁ ନେଇ ୫ ଜଣ ପୁଲିସ କର୍ମଚାରୀ କୋର୍ଟ ଭ୍ୟାନରେ ଯାଉଥିଲେ |

Advertisment

ତେବେ ଅଧାବାଟରେ କିଛି ଲୋକ ପରସ୍ପର ସହ ଝଗଡା କରୁଥିବାବେଳେ ରାସ୍ତା ଜାମ ହୋଇଯାଇଥିଲା | ଏହି ସମୟରେ ତିନିଜଣ କଏଦୀ ପୁଲିସ କର୍ମଚାରୀଙ୍କ ଆଖିରେ ଜଣ୍ଡୁ ମଲମ ଲଗାଇ ଫେରାର ହୋଇଯାଇଥିଲେ | ଜଣ୍ଡୁ ମଲମ ଲଗାଇ ଥିବାରୁ ପୁଲିସ କର୍ମଚାରୀ କିଛି ସମୟ ପାଇଁ କିଛି ଦେଖିପାରିନଥିଲେ | ଏହାର ସୁଯୋଗ ନେଇ କଏଦୀମାନେ ଚମ୍ପଟ ମାରିଥିଲେ | ଖସି ପଳାଇଥିବା କଏଦୀମାନେ ହେଉଛନ୍ତି ସୋନୁ କୁମାର, ସୋନୁ କୁମାର ଶର୍ମା ଓ ନୀରଜ ଚୌଧୁରୀ ବୋଲି ଜଣାପଡିଛି | ତେବେ ଏହି କଏଦୀମାନେ ଜଣ୍ଡୁ ମଲମ କେଉଁଠାରୁ ପାଇଲେ ସେନେଇ ପୁଲିସ କୌଣସି ସ୍ପଷ୍ଟ ସୂଚନା ଦେଇପାରିନାହିଁ | ଏବେ ଏମାନଙ୍କୁ ଧରିବାକୁ ପୁଲିସ ଛାନଭିନ ଚଳାଇଛି |