ମାଂସ ଦୋକାନରେ ନିଆଁ ଲଗାଉଥିବା ଅଭିଯୋଗରେ ତିନିଜଣ ଆରଏଏଫ ଯବାନଙ୍କୁ ଗିରଫ କଲା ପୁଲିସ

ଇମ୍ଫାଲ: ମଣିପୁର ପୁଲିସ ଶନିବାର ଦିନ ଇମ୍ଫାଲର ନ୍ୟୁ ଚେକନ ଅଞ୍ଚଳରେ ଏକ ଦୋକାନରେ ନିଆଁ ଲଗାଇବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ହିଂସାକାଣ୍ଡରେ ନିୟୋଜିତ ତିନିଜଣ ଯବାନଙ୍କୁ ଗିରଫ କରିଛି | ଏହି ଯବାନମାନେ ସେଣ୍ଟ୍ରାଲ ରାପିଡ ଆକ୍ସନ ଫୋର୍ସ (ଆରଏଏଫ)ର କର୍ମଚାରୀ ବୋଲି ପୁଲିସ କହିଛି | ଏନେଇ ଜଣାପଡିବା ପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସୋମଦେବ ଆର୍ଯ୍ୟ, କୁଲଦୀପ ସିଂ ଏବଂ ପ୍ରଦୀପ କୁମାରଙ୍କ ନାମରେ ଅଭିଯୋଗ ଆସିବା ପରେ ତୁରନ୍ତ ନିଲମ୍ବିତ କରାଯାଇଛି ଏବଂ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରାଯିବ। ସ୍ଥାନୀୟ ପୁଲିସ ପକ୍ଷରୁ କୁହାଯାଇଛି ଯେ ଏକ କାରରେ ତିନି ଜଣ ଯବାନ ସାଧା ପୋଷାକ ପିନ୍ଧି ଆସିଥିଲେ ଓ ନାଗା ଆଦିବାସୀ ବ୍ୟବସାୟୀଙ୍କ ମାଂସ ଦୋକାନରେ ନିଆଁ ଲଗାଇବାକୁ ଚେଷ୍ଟା କରୁଥିଲେ ।

ନିଆଁ ଲଗାଇବାକୁ ଚେଷ୍ଟା କରୁଥିବାବେଳେ ଯେତେବେଳେ ସ୍ଥାନୀୟ ଲୋକମାନେ ବିରୋଧ କରିଥିଲେ, ସେମାନେ ସେଠାରୁ ପଳାୟନ କରିଥିଲେ। ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରିବା ପରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିଲା। ଶନିବାର ରାତିରେ ପୋରମ୍ପାଟ ପୁଲିସ ତାଙ୍କୁ ଗିରଫ କରିଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉତ୍ତର-ପୂର୍ବ ରାଜ୍ୟ ଗସ୍ତ ପୂର୍ବରୁ ଏହି ନିଲମ୍ବନ ଆଦେଶ ଦିଆଯାଇଛି। ଉଲ୍ଲେଖ ଥାଉ କି ଗତ ୩ ସପ୍ତାହ ଧରି ମଣିପୁରରେ ଅଶାନ୍ତ ସ୍ଥିତି ଲାଗି ରହିଛି। ‌ମେ’ ୩ ତାରିଖରେ ମଣିପୁରରେ ୨ ଗୋଷ୍ଠୀ ମଧ୍ୟରେ ହିଂସା ଉପୁଜିଥିଲା। ଜାତିଗତ ବିବାଦରେ ଏପର୍ଯ୍ୟନ୍ତ ୭୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଲୋକ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର