ଆଉ କିଛି ଘଣ୍ଟାର ଅପେକ୍ଷା ! ଭାରତରେ ଓହ୍ଲାଇବ ୩ଟି ରାଫେଲ ବିମାନ, ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ : ଆଜି ସଂଧ୍ୟାରେ ଭାରତରେ ପହଞ୍ଚିବ ଆଉ ୩ଟି ରାଫେଲ ଲଢୁଆ ବିମାନ । ଏଗୁଡ଼ିକ ସଂଧ୍ୟା ୭ଟା ବେଳେ ଗୁଜୁରାଟରେ ଓହ୍ଲାଇବେ ଓ ପରେ ଏଗୁଡ଼ିକ ଅମ୍ବାଲା ବାୟୁସେନା ଘାଟିକୁ ଯିବେ । ଏହି ୩ଟି ବିମାନ ଆସିବା ପରେ ଭାରତୀୟ ବାୟୁସେନା ପାଖରେ ଥିବା ରାଫେଲ ସଂଖ୍ୟା ୧୪ରେ ପହଞ୍ଚିବ ।

ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ରାଫେଲ ଉଡ଼ାଣ ଆରମ୍ଭ କରୁଥିବା ସମୟର ଭିଡିଓ ଜାରି କରାଯାଇଛି । ଏହି ବିମାନଗୁଡ଼ିକ ବୁଧବାର ଭାରତୀୟ ସମୟ ସକାଳ ୭ଟା ବେଳେ ଫ୍ରାନ୍ସର ବୋରଡିକ୍ସରେ ଥିବା ମେରିଗନାଗ ଏୟାରବେସରୁ ଉଡ଼ାଣ ଆରମ୍ଭ କରିଥିଲେ । ଭାରତ ଆସିବା ବାଟରେ ଓମାନ ଉପସାଗର ଉପରେ ଉଡ଼ୁଥିବାବେଳେ ଏହି ବିମାନଗୁଡ଼ିକରେ ୟୁଏଇର ବାୟୁସେନାର ପରିବହନ ବିମାନ ଇନ୍ଧନ ଭର୍ତ୍ତି କରିଥିବା ସୂଚନା ମିଳିଛି ।

ଆଜି ଆସୁଥିବା ୩ଟି ରାଫେଲ ବିମାନ ଅମ୍ବାଲାରେ ଥିବା ଗୋଲଡେନ ଆରୋ ସ୍କ୍ବାର୍ଡନରେ ସାମିଲ ହେବେ । ଅନ୍ୟପକ୍ଷରେ ଆସନ୍ତା ଏପ୍ରିଲ ମଧ୍ୟ ଭାଗରେ ଆଉ କିଛି ରାଫେଲ ବିମାନ ଭାରତରେ ପହଞ୍ଚିବ । ସେସବୁ ବିମାନଗୁ଼ଡ଼ିକୁ ପଶ୍ଚିମବଙ୍ଗର ହାସିମୋରା ବାୟୁସେନା ଘାଟିରେ ମୁତୟନ କରାଯିବ ।
ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଭାରତ ପ୍ରାୟ ୫୯୦୦୦ କୋଟି ବିନିମୟରେ ମୋଟ ୩୬ଟି ରାଫେଲ ବିମାନ କିଣିବ । ଏହି ୩୬ଟି ବିମାନ ଆସନ୍ତା ୨୦୨୨ ସୁଦ୍ଧା ଭାରତରେ ପହଞ୍ଚିଯିବ ।

 

ସମ୍ବନ୍ଧିତ ଖବର