କୋଟା (ରାଜସ୍ଥାନ): ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା କିଛି ଅତିଥି ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ପଥର ଫିଙ୍ଗି ଆକ୍ରମଣ କରିବାରୁ ଜଣେ ପୁଲିସ ସବ୍ ଇନ୍ସପେକ୍ଟର ଏବଂ ଦୁଇ ଜଣ କନଷ୍ଟେବଳ ଆହତ ହୋଇଛନ୍ତି ବୋଲି ରାଜସ୍ଥାନ ପୁଲିସ କହିଛି।
ଅନ୍ୟପକ୍ଷରେ କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିବା ଦୁଇ ଜଣ ମହିଳାଙ୍କ ସମେତ ଆଠ ଜଣଙ୍କୁ ପୁଲିସ ଅଟକ ରଖଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
ରିପୋର୍ଟରୁ ପ୍ରକାଶ ଏକ ଉତ୍ସବରେ ଯୋଗ ଦେଇଥିବା କିଛି ଅତିଥି ମଦ୍ୟପାନ କରିବା ପରେ ନିଶାସକ୍ତ ଅବସ୍ଥାରେ ବିବାହ ଉତ୍ସବରେ ଗଣ୍ଡଗୋଳ କରୁଥିବା ସମ୍ପର୍କରେ ସୂଚନା ପାଇବା ଏକ ପୁଲିସ ଟିମ୍ ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲା। ହେଲେ, ଘଟଣା ସ୍ଥଳରେ ପୁଲିସ୍ ଟିମ୍କୁ ଦେଖି ନିଶାସକ୍ତ ଅତିଥିମାନେ ପୁଲିସ୍ ଦଳ ଉପରକୁ ପଥର ଫିଙ୍ଗିଥିଲେ ବୋଲି କୋଟାର ଆରକ୍ଷୀ ଅଧୀକ୍ଷକ କାବେନ୍ଦ୍ର ସିଂ ସାଗର କହିଛନ୍ତି।
ଏହି ପଥର ଫିଙ୍ଗା ଘଟଣାରେ ଜଣେ ସବ୍ ଇନ୍ସପେକ୍ଟର ଏବଂ ଦୁଇ ଜଣ କନଷ୍ଟେବଳ ଆହତ ହୋଇଛନ୍ତି ବୋଲି ଏସପି କହିଛନ୍ତି। ରାମଗଞ୍ଜ ମଣ୍ଡି ପୁଲିସ ଷ୍ଟେସନର ଷ୍ଟେସନ ହାଉସ ଅଫିସର (ଏସଏଚଓ) ମନୋଜ ବ୍ରେୱାଲ କହିଛନ୍ତି ଯେ ଏହି ଘଟଣାରେ ପ୍ରାୟ ୧୦ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ ଆଠ ଜଣଙ୍କୁ ସରକାରୀ କର୍ମଚାରୀଙ୍କ ଉପରେ ଦଙ୍ଗା ଏବଂ ଆକ୍ରମଣ ଅଭିଯୋଗରେ ଅଟକ ରଖାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି।