ସହାୟକ ହେଲା ୩ଟି କାରଣ

ରାଷ୍ଟ୍ରପତି ଶାସନ, ସଂସଦ ଅଧିବଶେନ, ରାଜ୍ୟସଭା ସଂଖ୍ୟା ଖେଳ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍‌ ୨୦୧୯ ଗତକାଲି ରାଜ୍ୟସଭାରେ ଗୃହୀତ ହୋଇଥିଲା। ଏହା ସହିତ ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ଅଧିକାର ଦେଉଥିବା ଧାରା ୩୭୦‌ ଅନ୍ତର୍ଗତ ସମସ୍ତ ପ୍ରାବଧାନ ମଧ୍ୟ ହଟିଯାଇଛି। ଗୃହମନ୍ତ୍ରୀ ଅମିତ ଶାହ ଆଗତ କରିଥିବା ଏହି ବିଲ୍‌ ସପକ୍ଷରେ ୧୨୫ ଭୋଟ୍‌ ମିଳିଥିବା ବେଳେ ବିଲ୍‌ ବିରୋଧରେ ୬୧ ଭୋଟ୍‌ ମିଳିଥିଲା। ଧାରା ୩୭୦ ଉଚ୍ଛେଦ ଏକ ଐତିହାସିକ ନିଷ୍ପତ୍ତି। ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ୨୦୧୪ରେ ମଧ୍ୟ ଲୋକସଭା ନିର୍ବାଚନ ଜିତିଥିଲା କିନ୍ତୁ ସେସମୟରେ ବିଜେପି ସରକାର ଏହି ୨ଟି ସମ୍ବେଦନଶୀଳ ଧାରାରେ ହାତ ମାରିନଥିଲା। କିନ୍ତୁ ମୋଦୀ ସରକାର ପୁଣିଥରେ କ୍ଷମତାକୁ ଫେରିବାପରେ ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ତେବେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ମୋଦୀ ସରକାରଙ୍କୁ ୩ଟି କାରଣ ବହୁତ ସହାୟକ ହୋଇଛି। ଏହି ୩ଟି କାରଣ ହେଉଛି।

ରାଷ୍ଟ୍ରପତି ଶାସନ
ଜମ୍ମୁ କଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହେବାଦ୍ବାରା ମୋଦୀ ସରକାର ଏଥିଯୋଗୁଁ ସବୁଠୁ ବେଶୀ ଉପକୃତ ହୋଇଛନ୍ତି। ରାଜ୍ୟପାଳ ସତ୍ୟପାଲ୍‌ ମଲିକ୍‌ଙ୍କ ଉପଦେଶ କ୍ରମେ ସରକାର ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜମ୍ମୁ କଶ୍ମୀରରେ ଯଦି ଏବେ ବିଜେପି -ପିଡିପି ସରକାର ଥାନ୍ତା ତେବେ ମୋଦୀ ସରକାରଙ୍କ ପାଇଁ ଏହି କାର୍ଯ୍ୟ ସେତେଟା ସହଜସାଧ୍ୟ ହୋଇନଥାନ୍ତା। କାରଣ ସ୍ବାଭାବିକ ସମୟରେ ପ୍ରତ୍ୟେକଟି କାର୍ଯ୍ୟ ପାଇଁ ସରକାରଙ୍କୁ ବିଧାନସଭାର ଅନୁମୋଦନ ନେବାକୁ ପଡ଼ିଥାନ୍ତା। ଜମ୍ମୁ କଶ୍ମୀର ବିଧାନସଭା ଭଙ୍ଗ ହୋଇ ଯାଇଥିବାରୁ ଏବଂ ଜମ୍ମୁ କଶ୍ମୀରରେ ଏବେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିବାରୁ ରାଜ୍ୟପାଳଙ୍କ ସୁପାରିସରେ ହିଁ କାମ ହୋଇଥାଏ। ତେଣୁ ଜମ୍ମୁ କଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିବାରୁ ମୋଦୀ ସରକାରଙ୍କ କାମ ଅଧିକ ସହଜ ହୋଇଗଲା।

ସଂସଦ ଅଧିବଶେନ
ଏବେ ସଂସଦ ଅଧିବେଶନ ଚାଲିଥିବାରୁ ମୋଦୀ ସରକାରଙ୍କ ପାଇଁ ଧାରା ୩୭୦ ଏବଂ ୩୫ ଏ କୁ ଆଇନଗତ ଭାବେ ଉଚ୍ଛେଦ କରିବା ସହାୟକ ହୋଇପାରିଲା। କରିବେ। ମୋଦୀ ସରକାର ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାପାଇଁ ଆଦୌ ଅଧ୍ୟାଦେଶର ରାସ୍ତା ବାଛିବେନି ତେଣୁ ସେ ସଂସଦର ଅଧିବେଶନ ଚାଲିଥିବା ସମୟ‌ରେ ହିଁ ଏଭଳି ଏକ ଐତିହାସିକ ପଦ‌‌କ୍ଷେପ ନେଇଛନ୍ତି।

ରାଜ୍ୟସଭା ସଂଖ୍ୟା ଖେଳ
ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ୨୦୧୪ ଲୋକସଭା ନିର୍ବାଚନରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ଥାଇ ଜିତିଥିଲା। ୫୪୩ ବିଶିଷ୍ଟ ଲୋକସଭା ଆସନରେ ବିଜେପି ଏକାକି ୨୮୨ ଆସନ ଜିତିଥିଲା। କିନ୍ତୁ ରାଜ୍ୟସଭାରେ ବିଜେପିର ସଂଖ୍ୟା ବହୁତ୍‌ କମ୍‌ ଥିଲା। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏବଂ ଏନ୍‌ଡିଏର ଗୁରୁତ୍ବ ଖୁବ୍‌ ବଢ଼ିଗଲା। ବିଜେପି ୩୦୩ ଆସନ ଜିତିବାରୁ ଏନ୍‌ଡିଏର ଆସନ ସଂଖ୍ୟା ୩୫୩କୁ ବୃଦ୍ଧି ପାଇଲା। ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍‌ ୨୦୧୯ ଗୃହୀତ କରିବାପାଇଁ ବିଜେପିକୁ ବିପୁଳ ସମର୍ଥନ ମିଳିଛି। ବିଏସ୍‌ପି, ଆପ୍‌, ଟିଡିପି ସହ ଅନ୍ୟ ଅଣ ଏନ୍‌ଡିଏ ଦଳ ତଥା ୱାଇଏସ୍‌ଆରସିପି, ବିଜେଡି, ଏଆଇଏଡିଏମ୍‌କେ ଏବଂ ଟିଆରଏସ୍‌ ଏହି ବିଲ୍‌କୁ ସମର୍ଥନ ଦେଇଛନ୍ତି।

ସମ୍ବନ୍ଧିତ ଖବର