ପ୍ରଥମେ ଆମେ ଲୋକଙ୍କୁ ବଞ୍ଚ‌ାଇବା ପାଇଁ ଗୁରୁତ୍ବ ଦେଉଛୁ, ପରେ କ୍ଷୟକ୍ଷତିର ଆକଳନ କରିବୁ: ଅଦର ପୁନାଓ୍ବାଲା

ପୁଣେ: ଆଜି ଅପରାହ୍ନ ୩ଟାରେ ପୁଣେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ‌ରେ ନିଆଁ ଲାଗିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏବେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରଥମେ ଭିତରେ କେହି ଫସିରହି ନଥିବା ନେଇ ସୂଚନା ମିଳିଥିବା ବେଳେ ପରେ ଭିତରେ ୪ଜଣ ଫସିରହିଥିବା ନେଇ ଖବର ମିଳିଥିଲା। ଏବେ ସମସ୍ତ ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ଶୀତଳୀକରଣ ପ୍ରକ୍ରିୟା ଚାଲୁ ରହିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି।

ଘଟଣା ସଂପର୍କରେ ପ୍ରତିକ୍ରିୟା ରଖି ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାଓ୍ବାଲା କହିଛନ୍ତି ଯେ, “ଭିତରେ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଉପରେ ଆମେ ଧ୍ୟାନ ଦେଉଛୁ। ମୁଁ ଅନ୍ୟ କୌଣସି ବିଷୟରେ ଚିନ୍ତା କରୁ ନାହିଁ। ଆମେ ପ୍ରଥମେ ନିଜ ଲୋକଙ୍କୁ ବଞ୍ଚାଇବାକୁ ଚାହୁଁଛୁ, ତା’ପରେ ଆମେ କ୍ଷୟକ୍ଷତିର ଆକଳନ କରିବୁ। ”

ତେବେ ନିଆଁ ଲିଭା କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡ଼ିପାରି ନାହିଁ। କରୋନାକୁ ହରାଇବା ପାଇଁ ଅକ୍ସଫୋର୍ଡ-ଆଷ୍ଟ୍ର‌ାଜେନେକା ଦ୍ବାରା ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ ଟିକାର ଉତ୍ପାଦନ କରୁଛି ସେରମ ଇନଷ୍ଟିଚ୍ୟୁଟ। ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ସେରମ ଇନଷ୍ଟିଚ୍ୟୁଟ ଟିକା ବିତରଣ କରି ସାରିଛି। ପ୍ରଥମ ପର୍ଯ୍ୟାୟରେ ସେରମ ଇନଷ୍ଟିଚ୍ୟୁଟ ୧୦ନିୟୁତ ଡୋଜ ପଠାଇଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ାଇବାର ଯୋଜନା ରଖିଛି। ତେବେ ଟିକା ଉତ୍ପ‌ାଦନ କରୁଥିବା କ୍ୟାମ୍ପସରେ ନିଆଁ ଲାଗି ନଥିବା ଜାଣି ଲୋକେ ଆଶ୍ବସ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର