ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା, ୩ ସଡ଼କ ଦୁର୍ଘଟଣାରେ ୧୬ ମୃତ

ନୂଆଦିଲ୍ଲୀ: ପ୍ରବା‌ସୀ ଶ୍ରମିକଙ୍କ ଦୁଃଖ ସରୁନି। ଚଲାବାଟରେ ଟଳି ପଡ଼ୁଛନ୍ତି ଅନେକ ପ୍ରବାସୀ। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ବିହାରରେ ୩ଟି ପୃଥକ୍ ସଡ଼କ ଦୁର୍ଘଟଣାରେ ୧୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ପ୍ରଥମ ଘଟଣାରେ ପ୍ରବାସୀଙ୍କୁ ବୋଝେଇ କରି ଯାତ୍ରା କରୁଥିବା ଏକ ଟ୍ରକ୍‌ ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଏକ ବସ୍‌ ସହ ଧକ୍କା ହେବା ଫଳରେ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ୫୫-୬୦ ଜଣ ଆହତ ହୋଇଛନ୍ତି। ସେହିପରି ବିହାରର ସମସ୍ତିପୁର ସ୍ଥିତ ଶଙ୍କର ‌ଚୌକ୍‌ ନିକଟରେ ଏକ ବସ୍‌ ଏବଂ ଟ୍ରକ୍‌ ଧକ୍କା ହେବା ଫଳରେ ୨ ଜଣ ପ୍ରବାସୀଙ୍କ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ବସ୍‌ଟି ମୁଜାଫରପୁରରୁ କତିହାରକୁ ଯାତ୍ରା କରୁଥିଲା ଏବଂ ବସ୍‌ରେ ମୋଟ୍‌ ୩୨ ପ୍ରବାସୀ ଶ୍ରମିକ ଥିଲେ। ସେହିପରି ଅନ୍ୟ ଏକ ଘଟଣାରେ ମୁଜାଫରପୁର- ଶାହରନପୁର ଜାତୀୟ ରାଜପଥରେ ଗତକାଲି ରାତିରେ ୬ ଜଣ ପ୍ରବାସୀ ଶ୍ରମିକ ଚାଲି ଚାଲି ଯାଉଥିବେଳେ ଏକ ଦ୍ରୁତଗାମୀ ବସ୍‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା ଫଳରେ ୬ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶ‌ର ଘଟଣାରେ ଟ୍ରହାରାଷ୍ଟ୍ରରୁ ଉତ୍ତରପ୍ରଦେଶକୁ ଯାତ୍ରା କରୁଥିଲା।

image source–indiatoday

ପ୍ରାୟ ୭୦ ପ୍ରବାସୀଙ୍କୁ ଧରି ଯାତ୍ରା କରୁଥିବା ଟ୍ରକ୍‌ଟିକୁ ଆଜି ଭୋର୍‌ ୩ଟା ସମୟରେ ଗୁନା ବାଇପାସ୍‌ ‌ରୋଡ୍‌ ନିକଟରେ ଏକ ବସ୍‌ ଧକ୍କା ଦେଇଥିଲା ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ପ୍ରାୟ ୫୫-୬୦ ଜଣ ଦୁର୍ଘଟଣାରେ ଆହତ ହୋଇଛନ୍ତି। ଅଧିକାଂଶ ପ୍ରବାସୀ ଉତ୍ତରପ୍ରଦେଶ ଉନ୍ନାଓର ବୋଲି ଜଣାପଡ଼ିଛି। ଅନ୍ୟପକ୍ଷେ ଉତ୍ତରପ୍ରଦେଶ ଘଟଣାରେ ଶ୍ରମିକମାନେ ପଂଜାବରୁ ବିହାର ସ୍ଥିତ ସେମାନଙ୍କ ଘରକୁ ଚାଲିଚାଲି ଫେରୁଥିବାବେଳେ ବାଟରେ ଏକ ସରକାରୀ ବସ୍‌ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଊଭୟ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଯୋଗୀ ଉକ୍ତ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ କ୍ଷତିପୂରଣ ଓ ଆହତଙ୍କ ପରିବାର ସଦସ୍ୟଙ୍କ ପାଇଁ ୫୦ ହଜାର କ୍ଷତିପୂରଣ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର