ରାଜ୍ୟରେ ୪୮୮ କୋଟିର ୩ ସଡ଼କ ପ୍ରକଳ୍ପ ମଞ୍ଜୁର

ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଦେଶର ଏକାଧିକ ରାଜ୍ୟର ସଡ଼କ ପ୍ରକଳ୍ପର ଉନ୍ନତୀକରଣ ଓ ପୁନଃନିର୍ମାଣ ଭଳି ବିଭିନ୍ନ ପ୍ରକାର ପ୍ରକଳ୍ପକୁ ଆଜି ମଞ୍ଜୁରି ପ୍ରଦାନ କରାଯାଇଛି। ସେଥିରେ ଓଡ଼ିଶାର ୩ଟି ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପ ଗୁଡ଼ିକ ପାଇଁ ୪୮୮.୬୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଓଡ଼ିଶା ପାଇଁ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡ଼ିକ ହେଉଛି ବ୍ରହ୍ମପୁର ସହରରେ ଜାତୀୟ ରାଜପଥ ୫୯ରେ ଏକ ‌ବାଇପାସ୍ ନିର୍ମାଣ। ଏହି ପ୍ରକଳ୍ପରେ ୧୯୬.୯୪ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି ପୁରୀ-କୋଣାର୍କ ରାସ୍ତାର ମାଟିଆପଡ଼ାଠାରେ ରେଳ ଓଭରବ୍ରିଜ୍ ନିର୍ମାଣ ଲାଗି ୧୩୭.୬୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଦୁଇ ପ୍ରକଳ୍ପ ଇପିସି ମୋଡ୍‌ରେ କାର୍ଯ୍ୟକାରୀ ହେବ। ସେହିଭଳି ଜାତୀୟ ରାଜପଥ ୩୨୬ର ମାଲ୍‌କାନ୍‌ଗିରି-ମୋଟୁ ମଧ୍ୟରେ ଅଳ୍ପ ଉଚ୍ଚତାର ୫ଟି ପୁରୁଣା ପୋଲ ସ୍ଥାନରେ ଉଚ୍ଚା ପୋଲ ନିର୍ମାଣ କରାଯିବ। ଏ ବାବଦରେ ୧୫୪.୦୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଓଡ଼ିଶା ସମେତ ମହାରାଷ୍ଟ୍ର, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ଆସାମ, ତେଲେଙ୍ଗାନା ଓ ଲଦାଖର ମୋଟ ୨୩ଟି ସଡ଼କ ପ୍ରକଳ୍ପର ଉନ୍ନତୀକରଣ ଓ ପୁନଃନିର୍ମାଣକୁ ମଞ୍ଜୁର କରାଯାଇଛି। ଏଥିରେ ମହାରାଷ୍ଟ୍ରର ସର୍ବାଧିକ ୧୧ଟି ପ୍ରକଳ୍ପ ସାମିଲ ରହିଛି।

ସମ୍ବନ୍ଧିତ ଖବର