କୁଲ୍‌ଗାମ୍‌ରେ ୩ ଆତଙ୍କବାଦୀ ନିପାତ

କନେଷ୍ଟବଳ ସଲିମ୍‌ଙ୍କ ହତ୍ୟାର ପ୍ରତିଶୋଧ

ଶ୍ରୀନଗର: ଏକ ଆତଙ୍କବାଦୀ ଗୋଷ୍ଠୀ ଶନିବାର ପୁଲିସ କନେଷ୍ଟବଳ ମହମ୍ମଦ ସଲିମ୍‌ଙ୍କୁ ଅକଥନୀୟ ନିର୍ଯାତନା ଦେବା ସହିତ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ସ୍ଥାନୀୟ ଅଞ୍ଚଳ ତଥା ସମଗ୍ର ଦେଶରେ ଏହା ଆଲୋଡ଼ନ ସୃଷ୍ଟି କରିଥିଲା। ୨୪ ଘଣ୍ଟା ମଧ୍ୟରେ ସେହି ଘଟଣାର ପ୍ରତିଶୋଧ ନେଇଛନ୍ତି ଭାରତୀୟ ସେନା। ସେହି ଆତଙ୍କବାଦୀ ଗୋଷ୍ଠୀର ୩ ଜଣ ପ୍ରମୁଖ ସଦସ୍ୟଙ୍କୁ ନିପାତ କରିଛନ୍ତି। ଅଧିକାରୀଙ୍କ ସୂଚନା ମୁତାବକ ଆଜି ସକାଳେ ଦକ୍ଷିଣ କଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲା ଅନ୍ତର୍ଗତ ଖୁଦଓ୍ଵାନିଠାରେ ସୁରକ୍ଷାବାହିନୀ ସର୍ଚ୍ଚ ଅପେରସନ୍‌ ଆରମ୍ଭ କରିଥିଲେ। ଏହି ସୟୟରେ ସେଠାରେ କିଛି ଆତଙ୍କବାଦୀଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଏହାପରେ ପରସ୍ପର ମଧ୍ୟରେ ଭୀଷଣ ଗୁଳିବିନିମୟ ହୋଇଥିଲା। କିନ୍ତୁ ଶେଷରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ। ଏ ନେଇ ଅଧିକ ସୂଚନା ଦେଇ ରାଜ୍ୟ ପୁଲିସ ଡିଜି ଶେଷ ପଲ୍‌ ବୈଦ ଟ୍ଵିଟ୍‌ କରି କହିଛନ୍ତି, ଆତଙ୍କବାଦୀମାନେ ପୁଲିସ କନେଷ୍ଟବଳ ମହମ୍ମଦ ସଲୀମ୍‌ଙ୍କୁ ଅତି ଦୟନୀୟ ଭାବେ ହତ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ଆଜି ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଜମ୍ମୁ କଶ୍ମୀର ପୁଲିସ, ସେନା ଓ ସିଆର୍‌ପିଏଫ୍‌ର ମିଳିତ ଅପରେସନ୍‌ରେ ଆଜି ବଡ଼ଧରଣର ସଫଳତା ମିଳିଛି। ଆତଙ୍କବାଦୀଙ୍କ ମୃତଦେହ ଓ ୩ଟି ଅସ୍ତ୍ର ଜବତ କରାଯାଇଛି। ଅନ୍ୟପକ୍ଷରେ କୁଲଗାମ୍‌ ଓ ଅନନ୍ତନାଗରେ ହିଂସା ରୋକିବାକୁ ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି।

ସମ୍ବନ୍ଧିତ ଖବର