ଶ୍ରୀନଗର: ରବିବାର ବିଳମ୍ବିତ ରାତିରେ ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର୍‌ରେ ଆରମ୍ଭ ହୋଇଥିବା ‘ଏନ୍‌କାଉଣ୍ଟର୍‌’ରେ ଆତଙ୍କବାଦୀ ସଙ୍ଗଠନ ‘ଲଶ୍କର-ଏ-ତୈବା’ର ଜଣେ କୁଖ୍ୟାତ କମାଣ୍ଡର୍‌ଙ୍କ ସମେତ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି। ସୋପୋର୍‌ର ଗୁଣ୍ଡ୍‌ବ୍ରାଠ୍‌ ଅଞ୍ଚଳରେ ସେନା, ଜମ୍ମୁ ଓ କଶ୍ମୀର ପୁଲିସ ଏବଂ ‘ସିଆର୍‌ପିଏଫ୍‌’ର ମିଳିତ ‘କର୍ଡନ୍‌ ଆଣ୍ଡ୍‌ ସର୍ଚ’ ଅଭିଯାନ ହେଉଛି ଏହି ‘ଏନ୍‌କାଉଣ୍ଟର୍‌’ର କାରଣ।

Advertisment

publive-image Image Courtesy of New Indian Express

ପୁଲିସ ଇନ୍‌ପେକ୍ଟର୍‌ ଜେନେରାଲ୍‌ ବିଜୟ କୁମାର କହିଛନ୍ତି, ନିକଟ ଅତୀତରେ ୩ଜଣ ପୁଲିସ କର୍ମଚାରୀ, ୨ଜଣ କାଉନ୍‌ସିଲର୍‌ ଏବଂ ୨ଜଣ ସାଧାରଣ ନାଗରିକଙ୍କ ହତ୍ୟାରେ ସମ୍ପୃକ୍ତ କୁଖ୍ୟାତ ‘ଲଶ୍କର୍‌-ଏ-ତୈବା’ କମାଣ୍ଡର୍‌ ମୁଦାସିର ପଣ୍ଡିତ ସୋପୋର ‘ଏନ୍‌କାଉଣ୍ଟର୍‌’ରେ ନିହତ ହୋଇଛନ୍ତି। ଏହି ‘ଏନ୍‌କାଉଣ୍ଟର୍‌’ରେ ସମୁଦାୟ ୩ଜଣ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ନିହତ ହୋଇଛନ୍ତି।

ଜୁନ୍‌ ୧୨ ତାରିଖରେ ଉତ୍ତର କଶ୍ମୀର ସହରରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ନିରାପତ୍ତା ବଳ ସୋପୋର ଭିତରେ ଏବଂ ବାହାରେ ଏକାଧିକ ତଲାସ ଅଭିଯାନ ଆରମ୍ଭ କରିଥିଲା। ‘ଲଶ୍କର୍‌-ଏ-ତୈବା’ର ଉକ୍ତ ଆକ୍ରମଣକୁ ରାଜନୈତିକ ଦଳମାନେ ତୀବ୍ର ନିନ୍ଦା କରିଥିଲେ।