ଟରଣ୍ଟୋ: କାନାଡାର ଗ୍ରେଟର ଟରଣ୍ଟୋର ତିନୋଟି ଭିନ୍ନ ଭିନ୍ନ ଅଞ୍ଚଳରେ ତିନୋଟି ସିନେମା ହଲ୍ରେ ଦର୍ଶକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ହିନ୍ଦୀ ଚଳଚ୍ଚିତ୍ର ପ୍ରଦର୍ଶନ ସମୟରେ ଏହି ଥିଏଟରଗୁଡ଼ିକରେ ମୁଖାପିନ୍ଧା ବ୍ୟକ୍ତିଙ୍କ ଦ୍ୱାରା ଅଜଣା ଗ୍ୟାସ୍ ସ୍ପ୍ରେ କରାଯାଇଥିଲା। ଏହା ସଂସ୍ପର୍ଶରେ ଆସିଥିବା ଲୋକମାନେ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ଚିକିତ୍ସା କରାଯାଇଥିଲା। ତେବେ ଏହି ଘଟଣାରେ କେହି ଗୁରୁତର ଆହତ ହୋଇ ନ ଥିବା ଜଣାପଡିଛି। ୟର୍କ ରିଜିଓନାଲ ପୁଲିସର ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଭନ୍ ଅଞ୍ଚଳରେ ଥିବା ଏକ ସିନେମା ଥିଏଟରରେ ଏଭଳି ଏକ ଘଟଣା ଘଟିଛି।
ମାସ୍କ ପିନ୍ଧିଥିବା ଦୁଇ ଜଣ ବ୍ୟକ୍ତି ଥିଏଟରରେ ପ୍ରବେଶ କରି ଅଜଣା ବିଷାକ୍ତ ଗ୍ୟାସ୍ ସ୍ପ୍ରେ କରିଥିଲେ। ଫଳରେ ଅନେକ ସିନେପ୍ରେମୀଙ୍କୁ କାଶ ହୋଇଥିଲା। ପ୍ରାୟ ୨୦୦ ସିନେମା ପ୍ରେମୀ ଥିଏଟର ଭିତରେ ଥିବା ବେଳେ ସେଥିରେ ଏକ ହିନ୍ଦୀ ଚଳଚ୍ଚିତ୍ର ଚାଲୁଥିଲା ବୋଲି ପୁଲିସ କହିଛି। ମୋଟ ୩ଟି ଥିଏଟରରୁ ଏହିପରି ଅଭିଯୋଗ ଆସିଥିଲା। ୟର୍କର ଜଣେ ପୁଲିସ ଅଧିକାରୀ ବୁଧବାର କହିଛନ୍ତି ଯେ ଗୋଟିଏ ସନ୍ଧ୍ୟାରେ ତିନି ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏହି ଘଟଣା ଘଟିଥିଲା। ଆମେ ଏହାର ଅନୁଧ୍ୟାନ କରୁଛୁ। ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ ବୋଲି ପୁଲିସ କହିଛି।