ଅଯୋଧ୍ୟା: ଅଯୋଧ୍ୟାରେ ଉଦ୍ଘାଟନ ହେବାକୁ ଥିବା ରାମ ମନ୍ଦିରର ପୂଜକ ପଦ ପାଇଁ ପ୍ରାୟ ୩ ହଜାର ପ୍ରାର୍ଥୀ ଆବେଦନ କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହି ପଦବୀ ପାଇଁ ବିଜ୍ଞାପନ ଦିଆଯାଇଥିଲା। ସାକ୍ଷାତ୍କାର ପାଇଁ ମେରିଟ୍ ଆଧାରରେ ଟ୍ରଷ୍ଟ ୨୦୦ ଜଣ ପ୍ରାର୍ଥୀଙ୍କୁ ଚୟନ କରିଛି। ଏହି ସାକ୍ଷାତ୍କାର ମନ୍ଦିର ସହରର କରସେବକପୁରମ୍ରେ ଅନୁଷ୍ଠିତ ହେଉଛି। ତିନିଜଣିଆ ସାକ୍ଷାତ୍କାର ପ୍ୟାନେଲରେ ରହିଛନ୍ତି ବୃନ୍ଦାବନରୁ ଜୟକାନ୍ତ ମିଶ୍ର ଏବଂ ଅଯୋଧ୍ୟାର ଦୁଇ ମହନ୍ତ ମିଥିଳେଶ ନନ୍ଦିନୀ ଶରଣ ଓ ସତ୍ୟନାରାୟଣ ଦାସ।
ଶେଷରେ ଟ୍ରଷ୍ଟ ଏହି ଚାକିରି ପାଇଁ ୨୦ ଜଣ ପ୍ରାର୍ଥୀଙ୍କୁ ଚୟନ କରିବ। ମନୋନୀତ ପ୍ରାର୍ଥୀମାନଙ୍କୁ ୬ ମାସର ଆବାସିକ ପ୍ରଶିକ୍ଷଣ ପରେ ରାମ ଜନ୍ମଭୂମି ପରିସରରେ ବିଭିନ୍ନ ପଦବୀରେ ପୂଜାରୀ ଭାବେ ନିଯୁକ୍ତି ଦିଆଯିବ। ରାମ ମନ୍ଦିର ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି କହିଛନ୍ତି, ଯେଉଁ ପ୍ରାର୍ଥୀମାନେ ମନୋନୀତ ନ ହେଲେ ବି ସର୍ଟଲିଷ୍ଟ ହୋଇଥିବେ ଏବଂ ଏହି ପ୍ରଶିକ୍ଷଣରେ ଯୋଗ ଦେବେ ସେମାନଙ୍କୁ ସାର୍ଟିଫିକେଟ୍ ଦିଆଯିବ। ଭବିଷ୍ୟତରେ ପୁରୋହିତ ପଦ ଖାଲି ହେଲେ ସେମାନଙ୍କୁ ଡକାଯିବ। ଶୀର୍ଷ ସାଧୁସନ୍ଥଙ୍କ ଦ୍ୱାରା ପ୍ରସ୍ତୁତ ଧାର୍ମିକ ପାଠ୍ୟକ୍ରମ ଆଧାରରେ ଏହି ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷଣ ସମୟରେ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଖାଇବା ଓ ରହିବାର ସୁବିଧା ଯୋଗାଇ ଦିଆଯିବ। ସେମାନଙ୍କୁ ମାସିକ ଷ୍ଟାଇପେଣ୍ଡ ବାବଦରେ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।