ମହାରାଷ୍ଟ୍ରରେ କରୋନା ବିସ୍ଫୋରଣ: ଦିନକରେ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ବିସ୍ଫୋରଣ ପରି ପରିସ୍ଥିତି ସୃଷ୍ଟି ହୋଇଛି | କାରଣ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦୮୧ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି | ଏଥିସହିତ, ୧୩୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ରାଜ୍ୟରେ କୌଣସି ରୋଗୀଙ୍କର ମୃତ୍ୟୁ ହୋଇନାହିଁ। ନୂତନ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ସକ୍ରିୟ ମାମଲା ୧୩ ହଜାର ୩୨୯ରେ ପହଞ୍ଚିଛି | କେବଳ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୫୬ଟି ନୂତନ ମାମଲା ସାମ୍ନାକୁ ଆସିଛି | ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୭୬୩ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। କେବଳ ମୁମ୍ବାଇରେ ସକ୍ରିୟ ମାମଲାଗୁଡ଼ିକର ସଂଖ୍ୟା ୯୧୯୧ ରହିଛି |

ସୂଚନା ଥାଉ କି ଗତକାଲି ମହାରାଷ୍ଟ୍ରରେ କୋଭିଡ -୧୯ର ୨୮୧୩ଟି ନୂଆ ମାମଲା ରିପୋର୍ଟ ହୋଇଥିଲା | ତେବେ ଆଜି ନୂତନ ରୋଗୀଙ୍କ ସଂଖ୍ୟା ତିନି ହଜାର ଅତିକ୍ରମ କରିଛି | ଉଲ୍ଲେଖ ଥାଉ କି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୭,୫୮୪ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୪ ମୃତ୍ୟୁ ରେକର୍ଡ କରାଯାଇଛି।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୭,୫୮୪ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୨,୦୫,୧୦୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୨୪ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୪,୭୪୭ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର