ବ୍ରିଟେନ ଫେରନ୍ତା ୧୩ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ, ଦେଶବ୍ୟାପୀ ସତର୍କତା ଜାରି

 

ନୂଆଦିଲ୍ଲୀ : ବ୍ରିଟେନରେ ଦେଖାଦେଇଥିବା କରୋନା ଭୁତାଣୁର ପରିବର୍ତ୍ତିତ ପ୍ରକାରକୁ ନେଇ ସାରା ବିଶ୍ବରେ ଆତଙ୍କ ପ୍ରକାଶ ପାଇଛି । ଭାରତ ସମେତ ପ୍ରାୟ ୪୦ଟି ଦେଶ ବ୍ରିଟେନକୁ ବିମାନ ଚଳାଚଳ ରଦ୍ଦ କରିଦେଇଛନ୍ତି । ତେବେ ବିମାନ ଚଳାଚଳ ବନ୍ଦ ହେବା ପୂର୍ବରୁ ଭାରତକୁ ଫେରିଥିବା ଯାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୧୩ ଜଣ କରୋନା ପଜିଟିଭ ଥିବା ଜଣାଯାଇଛି । ଏକଥା ଜଣାପଡ଼ିବା ପରେ ସାରା ଦେଶରେ ସତର୍କତା ବଢାଇଦିଆଯାଇଛି । ତେବେ ପଜିଟିଭ ଚିହ୍ନଟ ହୋଇଥିବା ଲୋକମାନଙ୍କ ଶରୀରରେ ନୂଆ ପ୍ରକାରର ଭୁତାଣୁ ଅଛି କି ନା, ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ବ୍ରିଟେନରୁ ଅହମଦାବାଦକୁ ଫେରିଥିବା ୨୭୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୫ ଜଣ କରୋନା ପଜିଟିଭ ଅଛନ୍ତି । ସେହିପରି ଲଣ୍ଡନରୁ ଦିଲ୍ଲୀକୁ ଫେରିଥିବା ୬ ଜଣ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଲଣ୍ଡନରୁ କୋଲକାତାକୁ ଫେରିଥିବା ୨ ଜଣ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ୟୁକେରୁ ମୁମ୍ବାଇକୁ ଫେରିଥିବା ୫୯୦ ଯାତ୍ରୀଙ୍କ ମଧ୍ୟରୁ କୌଣସି ଯାତ୍ରୀ ସଂକ୍ରମିତ ହୋଇନଥିବା ଜଣାଯାଇଛି ।

ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ଭାରତରେ ଏପର୍ଯ୍ୟନ୍ତ ନୂଆ ପ୍ରକାରର କରୋନା ଭୁତାଣୁ ଚିହ୍ନଟ ହୋଇନାହିଁ । ଏହା ସତ୍ତ୍ବେ ସାରା ଭାରତରେ ସତର୍କତା ମାତ୍ରାକୁ ବଢାଇଦିଆଯାଇଛି ।

 

 

ସମ୍ବନ୍ଧିତ ଖବର