ୟୁପିରେ ବିଜେପିକୁ ରୋକି‌େବ ୩ ମହିଳା

ଲ‌କ୍ଷ୍ନୌ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ନିର୍ବାଚନ ବୈତରଣୀ ପାରି ହେବା ପାଇଁ ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ବିଶେଷ କରି ୨ ପ୍ରମୁଖ ଜାତୀୟ ଦଳ ବିଜେପି ଏବଂ କଂଗ୍ରେସ ମଧ୍ୟରେ ବଳ କଷାକଷି ହେବାକୁ ଥିବା ବେଳେ ଉତ୍ତରପ୍ରଦେଶରେ ମୁଖ୍ୟତଃ ବସପା ଏବଂ ସପା ମଧ୍ୟ ଏଥର ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ୍ ହୋଇଛନ୍ତି। ‌ଉତ୍ତରପ୍ରଦେଶରୁ ଲୋକସଭା ପାଇଁ ସର୍ବାଧିକ ୮୦ଟି ସାଂସଦ ଆସନ ରହୁଥିବାରୁ ଏଠାରୁ ସଂଖ୍ୟାଧିକ ଆସନ ହାତେଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏଠାରେ ବିଜେପିର ପ୍ରଚାର ନେତୃତ୍ବ ନେଇଛନ୍ତି। ତେବେ ସେଠାରେ ୩ ମହିଳା ଶକ୍ତି ଏଥର ବିଜେପିର ଗଣିତ ଓଲଟ ପାଲଟ କରିଦେବ ବୋଲି ଚର୍ଚ୍ଚା ଜୋର୍ ଧରିଛି। ବିଜେପି ରାସ୍ତାରେ ଏଥର କଣ୍ଟା ସାଜିବାକୁ ଥିବା ସେହି ମହିଳା ଶକ୍ତି ହେଲେ ବସପା ଅଧ୍ୟକ୍ଷା ମାୟାବତୀ, ନୂଆ କରି ପ୍ରତ୍ୟକ୍ଷ ରାଜନୀତିକୁ ଆସିଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ସପା ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ତଥା ସାଂସଦ ଡିମ୍ପଲ ଯାଦବ।
ଉତ୍ତରପ୍ରଦେଶର ୪ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ମାୟାବତୀଙ୍କ ନେତୃତ୍ବାଧୀନ ବସପାକୁ ୨୦୧୪ ନିର୍ବାଚନରେ ଗୋଟିଏ ବି ଆସନ ମିଳିନଥ‌ିଲେ ହେଁ ଏଥର ସ୍ଥିତି ଅଲଗା କୁହାଯାଉଛି। ସପା ସହ ‌ମେଣ୍ଟ ହେବା ପରେ ଏଥର ବିଜେପିକୁ ମାତ୍‌ ଦେବା ପାଇଁ ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତ କରିଛନ୍ତି ମାୟାବତୀ। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଯୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଜାତୀୟ ରାଜନୀତିରେ ଫୋକସ୍‌ କରିଥିବା ବେଳେ ପ୍ରିୟଙ୍କାଙ୍କୁ କେବଳ ଉତ୍ତରପ୍ରଦେଶ ଦାୟିତ୍ବ ମିଳିବା ମଧ୍ୟ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଅନ୍ୟପକ୍ଷେ, କ‌ନୌଜରୁ ୨ ଥର ସାଂସଦ ହୋଇଥିବା ଡିମ୍ପଲ ବି କିଛି କମ୍‌ ନୁହନ୍ତି। ସପା ସୁପ୍ରିମୋ ଅଖିଳେଶ ଯାଦବ ଏବଂ ମୁଲାୟମ ସିଂହ ଯାଦବଙ୍କ ପଛରେ ରହି ଡିମ୍ପଲ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଏବଂ ଦଳୀୟ ବ୍ୟାପାରରେ ସେ ଅଖିଳେଶଙ୍କୁ ପରାମର୍ଶ କରି ଆସିଛନ୍ତି। ବିଶ୍ବ ମହିଳା ଦିବସରେ ମହିଳାଙ୍କ ପାଇଁ ସପାର ଟିକେଟ୍ ଘୋଷଣା ମଧ୍ୟ ଡିମ୍ପଲ୍‌ଙ୍କ ନିର୍ଦ୍ଦେଶରେ ହୋଇଥିବା ଜଣାପଡ଼ିଛି। ତେଣୁ ଏଭଳି ସ୍ଥିତିରେ ୨୦୧୪ ନିର୍ବାଚନରେ ଏଠାରୁ ୭୧ଟି ଆସନ ଦଖଲ କରିଥିବା ବିଜେପି ଏଥର ଏହି ମହିଳା ତ୍ରିଶକ୍ତି ପାଇଁ ସେହି ସଂଖ୍ୟା ବଜାୟ ରଖିବା କଷ୍ଟ ହେବ ବୋଲି ବିଭିନ୍ନ ମହଲରେ ‌ଶୁଣିବାକୁ ହେଉଛି।

ସମ୍ବନ୍ଧିତ ଖବର