୩ ମହିଳା ପରସ୍ପରର ସ୍ୱାମୀଙ୍କୁ କିଡ୍‌୍‌ନି ଦେଲେ

ମ୍ୟାଚ୍‌ମେକର ସାଜିଲା ହସ୍ପିଟାଲ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ପୁଷ୍ପାବତୀ ସିଂଘାଣିଆ ହସ୍ପିଟାଲ ଆଣ୍ଡ୍‌ ରିସର୍ଚ୍ଚ ଇନ୍‌୍‌ଷ୍ଟିଚ୍ୟୁଟର ଡାକ୍ତରଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ କିଡ୍‌ନି ଦାନ ସଂପର୍କିତ ଏକ ବଡ଼ ଜଟିଳତା ଦୂର ହୋଇଛି । ଏହି ହସ୍ପିଟାଲର ଡାକ୍ତରଙ୍କ ପାଇଁ ବଡ଼ ଚ୍ୟାଲେଂଜ ସୃଷ୍ଟି ହୋଇଥିଲା ଯେତେବେଳେ ୩ ଦମ୍ପତି କିଡ୍‌୍‌ନି ପ୍ରତିରୋପଣ ପାଇଁ ପହଞ୍ଚିଥିଲେ। କିଛି ଦିନ ବ୍ୟବଧାନରେ ସେମାନେ କିଡନି ପ୍ରତିରୋପଣ ପାଇଁ ପହଞ୍ଚିଥିବା ବେଳେ ଏହା ଡାକ୍ତରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ସବୁ ମାମଲାରେ ପତ୍ନୀମାନେ କିଡନି ଦେବାପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ସେମାନଙ୍କ କିଡନି ସ୍ୱାମୀଙ୍କ କିଡନି ସହ ମେଳ ଖାଉନଥିଲା। ତେବେ ତିନି ମହିଳାଙ୍କ ପରୀକ୍ଷା ପରେ ଡାକ୍ତରମାନେ ଜାଣିବାକୁ ପାଇଥିଲେ ଯେ ସେମାନଙ୍କ କିଡନି ଭିନ୍ନ ଭିନ୍ନ ରୋଗୀଙ୍କ କ୍ଷେତ୍ରରେ ପ୍ରତିରୋପଣ ହୋଇପାରିବ। ଏହାପରେ ଡାକ୍ତରମାନେ ୩ ଦମ୍ପତିଙ୍କ ସହ ଏ ବାବଦରେ କଥାବାର୍ତ୍ତା ଆରମ୍ଭ କରିଥିଲେ। ସେମାନଙ୍କୁ ବୁଝାଇ ଦିଆଯାଇଥିଲା ଯେ ତିନି ମହିଳାଙ୍କ କିଡନି ସେମାନଙ୍କ ସ୍ୱାମୀଙ୍କ ବ୍ୟତୀତ ଅନ୍ୟମାନଙ୍କଠାରେ ମେଳ ଖାଉଛି। କିଡନି ପ୍ରତିରୋପଣ ଯଥାଶୀଘ୍ର କରାଯିବା ଜରୁରୀ ଥିବାରୁ ସେମାନଙ୍କୁ ଏ ସଂପର୍କରେ ଚିନ୍ତା କରିବାକୁ କୁହାଯାଇଥିଲା। ୩ ମହିଳାଙ୍କୁ ବୁଝାଇବାରେ ଡାକ୍ତରମାନେ ସଫଳ ହେବାପରେ ସେମାନେ ଜଣେ ଅନ୍ୟ ଜଣଙ୍କ ସ୍ୱାମୀଙ୍କୁ କିଡନି ଦେବାକୁ ରାଜି ହୋଇଥିଲେ।

ଏହା ହସ୍ପିଟାଲ ପାଇଁ ମଧ୍ୟ ଏକ ବଡ଼ ଚ୍ୟାଲେଂଜ ଥିଲା। ମାରାଥନ ସର୍ଜରୀ ପାଇଁ ୫ଟି ଅପରେସନ ଥିଏଟର ରିଜର୍ଭ କରାଯାଇଥିଲା। ହସ୍ପିଟାଲରେ ଏହି କିଡନି ପ୍ରତିରୋପଣ ପ୍ରକ୍ରିୟା ଗତ ୮ ତାରିଖ ଦିନ ହୋଇଥିଲା। ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ୭ ଜଣ ଡାକ୍ତର, ୪ ଜଣ ନିଶ୍ଚେତକ ବିଶେଷଜ୍ଞ, ୧୮ ଜଣ ନର୍ସ ଏବଂ ୨୦ ଜଣ ସହଯୋଗୀ ନିୟୋଜିତ ଥିଲେ। ସମସ୍ତ ପ୍ରତିରୋପଣ ସଫଳ ହୋଇଛି।

ସମ୍ବନ୍ଧିତ ଖବର