ତେଲେଙ୍ଗାନାରେ ୧୨୦ ଫୁଟ୍ ଗଭୀର ଖୋଲା ବୋର୍‌ୱେଲ୍‌ରୁ ୩ ବର୍ଷିୟ ବାଳକ ମୃତାବସ୍ଥାରେ ଉଦ୍ଧାର

ହାଇଦ୍ରାବାଦ: ତେଲେଙ୍ଗାନାର ମେଡ଼କ ଜିଲ୍ଲାରେ ଖୋଲା ବୋର୍‌ୱେଲ୍‌ ମଧ୍ୟକୁ ବୁଧବାର ସନ୍ଧ୍ୟାରେ ଖସିପଡ଼ିଥିବା ତିନି ବର୍ଷିୟ ବାଳକୁ ଗୁରୁବାର ସକାଳେ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ତାକୁ ବୋର୍‌ୱେଲ୍ ମଧ୍ୟରୁ ବାହାର କରିବାକୁ ଅନେକ ସମୟ ଧରି ଉଦ୍ୟମ ଚାଲିଥିଲା।

ମେଡ଼କ ଜିଲ୍ଲା ଅନ୍ତର୍ଗତ ପୋଡ଼ଚାନପଲ୍ଲୀ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚଳାଇଥିବା ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ ଆଜି ସକାଳେ ସାଇ ବର୍ଦ୍ଧନ ନାମକ ଉକ୍ତ ବାଳକର ନିର୍ଜୀବ ଶରୀର ଉଦ୍ଧାର କରିଛନ୍ତି।

Image Source: The News Minute

୧୨୦ ଫୁଟ୍ ଗଭୀରବିଶିଷ୍ଟ ଉକ୍ତ ଖୋଲା ବୋର୍‌ୱେଲ୍ ମଧ୍ୟକୁ ଅମ୍ଳଜାନ ଯୋଗା ଯିବା ସହ ବୋର୍‌ୱେଲ୍ ଚାରିପାଖ ଖୋଳିବାକୁ ମାଟି ଉତ୍‌ଖନନ ମେସିନ୍‌ଗୁଡ଼ିକୁ କାମରେ ଲଗାଯାଇଥିଲା। ‘ଏନ୍‌ଡିଆର୍‌ଏଫ୍’ ଦଳ ମଧ୍ୟ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଥିଲା।

ମେଡ଼କ ଜିଲ୍ଲାର ପାପନ୍ନାପେଟ ମଣ୍ଡଳ ଅନ୍ତର୍ଗତ ଗୋଟାଏ ଚାଷ ଜମିରେ ଗତ ସନ୍ଧ୍ୟା ପ୍ରାୟ ୫ଟା ବେଳେ ଦୁର୍ଘଟଣାଟି ଘଟିଥିଲା। ସାଇ ବର୍ଦ୍ଧନ ତା’ ଜେଜେବାପା ଓ ବାପାଙ୍କ ସହ ଚାଲି ଚାଲି ଯାଉଥିବା ବେଳେ ବୋର୍‌ୱେଲ୍ ଭିତରକୁ ଖସି ପଡ଼ିଥିଲା।

ଜିଲ୍ଲା ପ୍ରଶାସନର ଜଣେ କର୍ମଚାରୀ କହିଥିଲେ ‌କି, ପିଲାଟି ଅନାବୃତ ବୋର୍‌ୱେଲ୍ ମଧ୍ୟକୁ ଖସିପଡୁଥିବା କଥା ପରିବାରର ସଦସ୍ୟମାନେ ଦେଖିବା ପରେ ଗୋଟାଏ ଶାଢ଼ି ଦ୍ବାରା ତାକୁ କାଢ଼ିବାକୁ ଉଦ୍ୟମ କରିଥିଲେ। କିନ୍ତୁ, ଉଦ୍ୟମ ବିଫଳ ହୋଇଥିଲା।

 

ସମ୍ବନ୍ଧିତ ଖବର