କରୋନା ମହାମାରୀକୁ ୩ ବର୍ଷ ପୂର୍ତ୍ତି: ସାଢ଼େ ୬୬ ଲକ୍ଷ ଜୀବନ ଗଲାଣି

ନୂଆଦିଲ୍ଲୀ: ୨୦୧୯ ମସିହା ଡିସେମ୍ବର ୮ ତାରିଖରେ ବିଶ୍ବରେ ପ୍ରଥମ କରୋନା ସଂକ୍ରମଣ ମାମଲା ଚୀନ୍‌ର ଉହାନ ସହରରେ ଚିହ୍ନଟ ହୋଇଥିଲା । କରୋନା ମହାମାରୀକୁ ଆସନ୍ତାକାଲି ୩ ବର୍ଷ ପୂର୍ତ୍ତି ହେଉଛି। କରୋନା ମହାମାରୀ ବିଶ୍ବବ୍ୟାପୀ ଅନେକ ଜୀବନ ନେଇଛି। କରୋନା ଟିକାକରଣ ସହ ସଂକ୍ରମଣ କମିଥି‌ଲେ ସୁଦ୍ଧା ବିପଦ ଏଯାବତ ଟଳିନି। ଏବେ ବିଶ୍ବର ଅନ୍ୟ ସ୍ଥାନରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି କିନ୍ତୁ ଚୀନ୍‌ରେ ପୁଣିଥ‌ରେ ସଂକ୍ରମଣ ବଢ଼ିଛି। ଚୀନ୍‌ରେ କରୋନା ସଂକ୍ରମଣ ବଢ଼ିବାରୁ କଟକଣା କଡ଼ାକଡ଼ି ହୋଇଛି। ଚୀନ୍‌ରେ କଟକଣାକୁ ବିରୋଧ କରି ବ୍ୟାପକ ଆନ୍ଦୋଳନ ମଧ୍ୟ ହୋଇଛି। ତେବେ ଚୀନ୍‌ ସଂକ୍ରମଣ ପୁଣିଥରେ ଚିନ୍ତା ବଢ଼ାଇଥିବାବେଳେ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ସତର୍କତା ଅବଲମ୍ବନ କଲେଣି।

ଜାନୁଆରି ୨୭, ୨୦୨୦ରେ ଭାରତରେ ପ୍ରଥମ କରୋନା ମାମଲା ଚିହ୍ନଟ ହୋଇଥିଲା। ସଂକ୍ରମଣ ବଢ଼ିବାପରେ ଦେଶରେ ଲକଡାଉନ୍‌ ହେଲା। ଦେଶରେ ଏଯାବତ ମୋଟ୍‌ ୪,୪୬,୭୩,୯୪୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ୫,୩୦,୬୩୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ କରୋନା ଟିକାକରଣ ପାଇଁ ଅନେକ ଲୋକଙ୍କ ଜୀବନ ବଞ୍ଚି ଯାଇଛି। ଦେଶରେ ୨୧୯.୯୪ କୋଟି ଡୋଜ୍‌ ଟିକାକରଣ ହୋଇଛି।

ଅନ୍ୟପକ୍ଷେ ବିଶ୍ବରେ ମୋଟ୍‌ ୨୨୮ ରାଷ୍ଟ୍ରକୁ କରୋନା ମହାମାରୀ ବ୍ୟାପିଛି। ବିଶ୍ବବ୍ୟାପୀ କରୋନା ସଂକ୍ରମଣ ମାମଲା ୬୫୧,୧୮୭,୩୩୪ ପହଞ୍ଚିଥିବା ବେଳେ କରୋନା ମୃତ୍ୟୁସଂଖ୍ୟା ୬,୬୫୦,୪୩୧ରେ ପହଞ୍ଚିଛି। ଆମେରିକାରେ ସର୍ବାଧିକ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଉଭୟ କରୋନା ସଂକ୍ରମଣ ଏବଂ ମୃତ୍ୟୁ କ୍ଷେତ୍ରରେ ଆମେରିକା ପ୍ରଥମେ ଥିବାବେଳେ ଏହା ପଛକୁ ଭାରତ ରହିଛି। ଆମେରିକା ପଛକୁ ଭାରତରେ ଦ୍ବିତୀୟ ସର୍ବାଧିକ ସଂକ୍ରମଣ ମାମଲା ଏବଂ ମୃତ୍ୟୁ ହୋଇଛି। ଆମେରିକାରେ ସର୍ବାଧିକ ୧୦୦,୯୬୨,୬୬୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୧,୧୦୭,୭୯୪ ରହିଛି।

ସମ୍ବନ୍ଧିତ ଖବର