ମୁମ୍ବାଇ : ଭାରତରେ କରୋନାର ନୂଆ ପ୍ରଜାତି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଆଜି କେବଳ ମହାରାଷ୍ଟ୍ରରେ ୭ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ଥିବା ଜଣାଯାଇଛି । ଅନ୍ୟପକ୍ଷରେ ଗୁଜୁରାଟରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏସବୁ ସଂକ୍ରମଣ ମାମଲାକୁ ମିଶାଇ ଭାରତରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି ।
ଆଜି ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ୭ଟି ଓମିକ୍ରନ ମାମଲା ମଧ୍ୟରୁ ୩ଟି ମୁମ୍ବାଇରୁ ଚିହ୍ନଟ ହୋଇଥିବାବେଳେ ୪ଟି ପୁଣେରୁ ଚିହ୍ଟଟ ହୋଇଛନ୍ତି । ଏହି ୭ ଜଣଙ୍କ ମଧ୍ୟରୁ ୪ ଜଣ କରୋନା ଟିକା ନେଇଛନ୍ତି । ଏହାକୁ ମିଶାଇ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୧୭ଟି ଓମିକ୍ରନ ମାମଲା ଚିହ୍ନଟ ହୋଇସାରିଲାଣି । ତେବେ ପୁଣେରୁ ଜଣେ ୩ ବର୍ଷୀୟ ଶିଶୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । କାରଣ କରୋନା ପ୍ରକୋପରୁ ଏପର୍ଯ୍ୟନ୍ତ ଶିଶୁମାନେ ରକ୍ଷା ପାଇ ଆସିଛନ୍ତି । କିନ୍ତୁ ଓମିକ୍ରନ ଶିଶୁମାନଙ୍କୁ କେତେ ଆକ୍ରାନ୍ତ କରିବ ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି ।
ଆଜି ସଂଧ୍ୟାରେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଥିଲେ ଯେ ଟିକା ନେଲେ ମଧ୍ୟ ଆମକୁ କୋଭିଡ୍ ଆଚରଣବିଧି ପାଳନ କରିବାକୁ ହେବ । ୟୁରୋପରେ ଅନେକ ଲୋକ ଟିକା ନେଇଥିଲେ ବି ସେଠାରେ ପୁଣି ସଂକ୍ରମଣ ବୃଦ୍ଧି ପାଉଛି । ଏହାର କାରଣ ହେଉଛି, କଟକଣା କୋହଳ ହେବା ପରେ ସେଠାରେ ଲୋକମାନେ କଟକଣା ମାନିନଥିଲେ । ଏଣୁ ଆମକୁ ସବୁପ୍ରକାରର କଟକଣାକୁ ମାନିବାକୁ ପଡ଼ିବ ।