କେନ୍ଦ୍ର ସରକାରଙ୍କ ରିପୋର୍ଟରୁ ଆସିଲା ସାଂଘାତିକ ତଥ୍ୟ : ଓଡ଼ିଶାରେ ଦିନକୁ ୩୦ ଦୁର୍ଘଟଣା, ୧୫ ମୃତ୍ୟୁ

ମଦପିଇ ଗାଡ଼ି ଚଲାଇବାରେ ଓଡ଼ିଶା ଦେଶରେ ତୃତୀୟ

୨୦୧୮ ତୁଳନାରେ ୨୦୧୯ରେ ମୃତ୍ୟୁ ସଂଖ୍ୟା ବଢ଼ିଛି
ମଦ୍ୟପାନଜନିତ ଦୁର୍ଘଟଣା ସଂଖ୍ୟା ୧୦୬୮, ମୃତ୍ୟୁ ୫୦୭
ଜାତୀୟ ରାଜପଥରେ କମିଛି, ରାଜ୍ୟ ରାଜପଥରେ ବଢ଼ିଛି

ନୂଆଦିଲ୍ଲୀ : ଓଡ଼ିଶାରେ ଦିନକୁ ୩୦ରୁ ଅଧିକ ଦୁର୍ଘଟଣା ଘଟୁଛି। ପାଖାପାଖି ୧୫ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ଏକଥା ଆମେ କହୁନାହୁଁ। ବରଂ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଅନ୍ତର୍ଗତ ପରିବହନ ଗବେଷଣା ୱିଙ୍ଗ୍‌ ପକ୍ଷରୁ ପ୍ରକାଶ ପାଇଥିବା ‘ରୋଡ୍‌ ଆକ୍ସି‌ଡେଣ୍ଟ୍‌ ଇନ୍‌ ଇଣ୍ଡିଆ-୨୦୧୯’ ରିପୋର୍ଟରେ ଏଭଳି ସାଂଘାତିକ ସତ ସାମ୍ନାକୁ ଆସିଛି। ଏହି ରିପୋର୍ଟକୁ ବିଶ୍ଳେଷଣ କଲେ ଦେଖାଯାଉଛି ଯେ ୨୦୧୯ ମସିହାରେ ଓଡ଼ିଶାରେ ସମୁଦାୟ ୧୧,୦୬୪ଟି ସଡ଼କ ଦୁର୍ଘଟଣା ଘଟିଛି ଏବଂ ଏଥିରେ ସମୁଦାୟ ୫,୩୩୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ, ୨୦୧୮ ମସିହା ତୁଳନାରେ ଦୁର୍ଘଟଣା ସଂଖ୍ୟା କମ୍‌ ହୋଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଅଧିକ। ସେହିବର୍ଷ ୧୧,୨୬୨ଟି ଦୁର୍ଘଟଣା ଘଟି ସମୁଦାୟ ୫,୩୧୫ ଜଣଙ୍କର ମୃତ୍ୟୁ ହୋଇଥିଲା। ସଡ଼କ ଦୁର୍ଘଟଣାରେ ଓଡ଼ିଶା ୧୨ତମ ସ୍ଥାନରେ ରହିଥିବା ରିପୋର୍ଟରୁ ଜଣାପଡ଼ିଛି।

ସବୁଠାରୁ ବଡ଼ କଥା ହେଲା, ରିପୋର୍ଟରେ ମଧ୍ୟ ଦୁର୍ଘଟଣାର କାରଣ ଗୁଡିକ ସଂପର୍କରେ ଉଲ୍ଲେଖ କରାଯାଇଛି। ଓଡିଶାରେ ଓଭରସ୍ପିଡ୍‌ ଯୋଗୁଁ ୭,୬୩୨ଟି ଦୁର୍ଘଟଣା ଘଟିଥିଲା। ମଦ୍ୟପାନ କରି ଗ‌ାଡ଼ି ଚଳାଇବା ଯୋଗୁଁ ୧,୦୬୮ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୫୦୭ ଜଣଙ୍କର ମୃତ୍ୟୁ ହୋଇଥିଲା। ମଦ୍ୟପାନ କରି ଗାଡ଼ି ଚଳାଇବା ସଂପର୍କିତ ଦୁର୍ଘଟଣା ମାମଲାରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଉତ୍ତର ପ୍ରଦେଶ ଓ ଦ୍ବିତୀୟ ସ୍ଥାନରେ ପଞ୍ଜାବ ରହିଛି। ଭୁଲ୍‌ ପାର୍ଶ୍ବରେ ଡ୍ରାଇଭିଂ କରିବା ଯୋଗୁଁ ୧,୦୪୦ଟି ସଡ଼କ ଦୁର୍ଘଟଣା ହୋଇଥିବାର ରିପୋର୍ଟରେ ଉଲ୍ଲେଖ ଥିବାବେଳେ ୪୯୨ଟି ଦୁର୍ଘଟଣା ଡ୍ରାଇଭିଂ ସମୟରେ ମୋବାଇଲ ଫୋନ୍‌ର ବ୍ୟବହାର ଯୋଗୁଁ ହୋଇଛି। ସେହିଭଳି ହେଲମେଟ ପିନ୍ଧିନଥିବାରୁ ୧,୪୩୩ ଡ୍ରାଇଭର ଓ ୭୩୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲାବେଳେ ସିଟ ବେଲ୍ଟ ବାନ୍ଧିନଥିବାରୁ ୩୮୦ ଜଣ ଡ୍ରାଇଭର ଓ ୫୦୬ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Onmanorama

କେନ୍ଦ୍ର ସରକାରଙ୍କ ରିପୋର୍ଟରେ ମଧ୍ୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କେତେ ଦୁର୍ଘଟଣା ଘଟିଛି, ତାହାର ମଧ୍ୟ ଏକ ଚିତ୍ର ଦିଆଯାଇଛି। ଏଥିରେ ଦର୍ଶାଯାଇଛି ଯେ, ୨୦୧୯ ମସିହାରେ ସହରାଞ୍ଚଳରେ ସମୁଦାୟ ୩,୧୧୮ଟି ଦୁର୍ଘଟଣା ଘଟିଥିଲା ଏବଂ ଏଥିରେ ୧,୨୫୩ ଜଣ ପ୍ରାଣ ହରାଇଥିଲେ। ସେହିଭଳି ଗ୍ରାମାଞ୍ଚଳରେ ୭,୯୪୬ ସଡକ ଦୁର୍ଘଟଣାରୁ ୪,୦୮୦ ଜଣଙ୍କର ମୃତ୍ୟୁ ହୋଇଥିବାର ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟପକ୍ଷ‌ରେ, ଜାତୀୟ ରାଜପଥରେ ୪,୧୪୮ ସଡକ ଦୁର୍ଘଟଣାରୁ ୨,୦୦୦ ଜଣଙ୍କର ମୃତ୍ୟୁ ଓ ୪,୩୫୯ ଆହତ ହୋଇଛନ୍ତି। ୨୦୧୮ ତୁଳନାରେ ଜାତୀୟ ରାଜପଥରେ ଦୁର୍ଘଟଣାର ସଂଖ୍ୟା ହ୍ରାସ ପାଇଥିବାବେଳେ ରାଜ୍ୟ ରାଜପଥରେ ଦୁର୍ଘଟଣା ବୃଦ୍ଧି ହୋଇଥିବାର ରିପୋର୍ଟରୁ ଜଣାପଡିଛି। ୨୦୧୯ରେ ରାଜ୍ୟ ରାଜପଥ ମାନଙ୍କରେ ୩,୧୯୫ ଦୁର୍ଘଟଣାରୁ ୧,୫୦୩ ଜଣ ପ୍ରାଣ ହରାଇଥିଲେ। ରାଜ୍ୟ ରାଜପଥମାନଙ୍କରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲାରେ ଓଡିଶା ଦେଶରେ ନବମ ସ୍ଥାନରେ ଥିବାର ରିପୋର୍ଟରେ କୁହାଯାଇଛି।

ଓଡ଼ିଶାରେ ଦୈନିକ କୋଭିଡ୍ ସଂକ୍ରାନ୍ତ ମୃତ୍ୟୁ ସଂଖ୍ୟା ୧୫ ପାଖାପାଖି ରହୁଛି। ଏହାକୁ ନେଇ ସରକାର ତନାଘନା ଚଳାଇଛନ୍ତି। ପାଖାପାଖି ସମାନ ସଂଖ୍ୟକ ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଥିଲେ ହେଁ, ସେଥିପ୍ରତି ଠୋସ୍ ପଦକ୍ଷେପ ନିଆନଯିବା ଘଟଣା ବିଭିନ୍ନ ମହଲକୁ ବିସ୍ମିତ କରୁଛି।

ସମ୍ବନ୍ଧିତ ଖବର

Comments are closed.