ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୩୦; ୨୮,୫୨୯ ଜଣଙ୍କ ଉପରେ ନଜର

ଦିଲ୍ଲୀରେ ପ୍ରାଥମିକ ସ୍କୁଲ ବନ୍ଦ, ୩ ମାସ ପର୍ଯ୍ୟନ୍ତ ଔଷଧ ପ୍ରସ୍ତୁତିରେ ସମସ୍ୟା ରହିବ ନାହିଁ: ସରକାର

ନୂଆଦିଲ୍ଲୀ : ଚୀନ୍‌ ସମେତ ବିଭିନ୍ନ ରାଷ୍ଟ୍ରରେ ଭୟାନକ ସ୍ଥିତି ସୃଷ୍ଟି କରିଥିବା କରୋନା ଭାଇରସ୍‌ର ପ୍ରକୋପ ଏବେ ଭାରତରେ ମଧ୍ୟ ଦେଖିବାକୁ ମିଳିଛି। ଭାରତରେ ଆଜି ସୁଦ୍ଧା ୩୦ ଜଣ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀ ସ୍ଥିତ ଆଇଟିବିପିର କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଥିବା ୨୧ ଜଣ ଇଟାଲୀୟ ପର୍ଯ୍ୟଟକଙ୍କ ମଧ୍ୟରୁ ୧୫ ଜଣ ଭାଇରସ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଭାରତରେ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମୋଟ ୧୬ ଜଣ ବିଦେଶୀ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଆଜି ସଂସଦରେ ସୂଚନା ଦେଇଛନ୍ତି। ଗତରାତିରେ ପେଟିଏମ୍‌ ଗୁରୁଗ୍ରାମ କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିବା ବେଳେ ଆଜି ଉତ୍ତରପ୍ରଦେଶର ଗାଜିଆବାଦର ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ସେ ନିକଟରେ ଇରାନ୍‌ ଗସ୍ତରୁ ଫେରିଥିଲେ। ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବା ଆଶଙ୍କା ଥିବାରୁ ଏଥିପାଇଁ ୨୫ଟି ହସ୍ପିଟାଲକୁ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାକୁ ତୟାର ରଖାଯାଇଛି। ଦିଲ୍ଲୀରେ ସତର୍କତା ପଦକ୍ଷେପ ସ୍ବରୂପ ସମସ୍ତ ପ୍ରାଥମିକ ବିଦ୍ୟାଳୟକୁ ୩୧ ମାର୍ଚ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଅରବିନ୍ଦ କେଜ୍ରିୱାଲ ସରକାର ଘୋଷଣା କରିଛନ୍ତି।

କରୋନା ଯୋଗୁଁ ଆମଦାନି ରପ୍ତାନି କ୍ଷେତ୍ରରେ ବଡ଼ ସଙ୍କଟ ଦେଖାଦେଇଛି, କିନ୍ତୁ ଏଥିପାଇଁ ଦେଶରେ ଆଗାମୀ ୩ ମାସ ପର୍ଯ୍ୟନ୍ତ ଔଷଧ ତିଆରି ପାଇଁ ବ୍ୟବହାର ହେଉଥିବା ଉପାଦାନର ଅଭାବ ରହିବ ନାହିଁ ବୋଲି ସରକାର କହିଛନ୍ତି। ଏକ ମନ୍ତ୍ରୀ ଗୋଷ୍ଠୀ ଦେଶରେ କରୋନା ସ୍ଥିତି ନେଇ ପ୍ରତ୍ୟହ ସମୀକ୍ଷା କରୁଛନ୍ତି ଏବଂ ତଦନୁଯାୟୀ ପଦକ୍ଷେପ ନିଆଯାଉଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ଗୁଜରାଟ ଏବଂ ମହାରାଷ୍ଟ୍ର ସରକାର କରୋନା ବ୍ୟାପିବା ସ୍ଥିତିରେ ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ତୟାର ହେଉଛନ୍ତି। କରୋନା ମୁକାବିଲା ପାଇଁ ମହାରାଷ୍ଟ୍ର ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। ବିହାରରେ ୮୯ ଜଣଙ୍କୁ ସ୍ବତନ୍ତ୍ର ନିରୀକ୍ଷଣରେ ରଖାଯାଇଛି। ଗୁରୁଗ୍ରାମରେ ଆକ୍ରାନ୍ତ ହୋଇଥିବା ପେଟିଏମ୍‌ କର୍ମଚାରୀଙ୍କ ସଂପର୍କରେ ଆସିଥିବା ୫ ଜଣଙ୍କୁ ଦିଲ୍ଲୀରେ କ୍ବାରେଣ୍ଟାଇନରେ ରଖାଯାଇଛି । ପେଟିଏମ୍‌ ତା’ର ଗୁରୁଗ୍ରାମ କାର୍ଯ୍ୟାଳୟକୁ ୧୫ ଦିନ ପାଇଁ ବନ୍ଦ କରିଦେଇଛି। ଆନ୍ଧ୍ରପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ସରକାର ଆଜି ସୁଦ୍ଧା ୨୬୨ ଜଣଙ୍କୁ ସ୍କ୍ରିନିଂ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୦ ଜଣଙ୍କ କ୍ବାରେଣ୍ଟାଇନ୍‌ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ଦିଲ୍ଲୀ ସରକାର କରୋନା ମୁକାବିଲା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଆଜି ସଂସଦରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶରେ ଏବେ ମୋଟ ୨୮,୫୦୯ ଜଣଙ୍କ ଉପରେ ନଜର ରଖାଯାଇଛି ଏବଂ ସେମାନେ ଗୋଷ୍ଠୀ ନିରୀକ୍ଷଣ ବ୍ୟବସ୍ଥାରେ ଅଛନ୍ତି। ଇରାନ୍‌ରେ ଥିବା ଭାରତୀୟଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଇଛନ୍ତି।

ସମ୍ବନ୍ଧିତ ଖବର