୩୦ କରୋନା ଟିକା ବିକାଶ କରୁଛି ଭାରତ, ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲେ ବୈଜ୍ଞାନିକ

କୋଭିଡ୍ ପାଇଁ ହେପାଟାଇଟିସ୍‌ ଔଷଧ ପ୍ରୟୋଗ ଲାଗି ‘କାଡିଲା’ ଲୋଡ଼ିଲା ଅନୁମତି

ନୂଆଦିଲ୍ଲୀ : ଭାରତରେ କୋଭିଡ-୧୯ର ଟିକା ବିକାଶ କାର୍ଯ୍ୟ ଚାଲିଛି। ବର୍ତ୍ତମାନ ୩୦ଟି ଟିକାର ବିକାଶ ବିଭିନ୍ନ ପର୍ଯ୍ୟାୟରେ ପହଞ୍ଚିଛି। କେତେକ ଟିକା ପରୀକ୍ଷଣ ପର୍ଯ୍ୟାୟକୁ ଗଲାଣି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର କରୋନା ଟିକାର ବିକାଶ ପାଇଁ ଗଠିତ ଟାସ୍କ ଫୋର୍ସର ଏକ ବୈଠକ ନେଇଥିଲେ। ଭାରତରେ କରୋନା ଟିକାର ବିକାଶ କାର୍ଯ୍ୟ କେଉଁ ପର୍ଯ୍ୟନ୍ତ ଗଲାଣି ତାହାର ବିସ୍ତୃତ ସମୀକ୍ଷା କରିଥିଲେ। କେବଳ ଟିକା ନୁହେଁ, ଔଷଧ, ନିଦାନ ଏବଂ ପରୀକ୍ଷଣ ଆଦି ସମ୍ପର୍କରେ ମଧ୍ୟ ବୈଠକରେ ସେ ସମୀକ୍ଷା କରିଥିଲେ।

ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତି ଜାରି ହୋଇଛି। ଭାରତରେ ‌କରୋନା ଔଷଧର ବିକାଶ ପାଇଁ ୩ ପ୍ରକାର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ପ୍ରଥମତଃ ଦେଶରେ ବର୍ତ୍ତମାନ ଥିବା ଔଷଧ ଗୁଡ଼ିକର ବ୍ୟବହାର। ଏ କ୍ଷେତ୍ରରେ ଅତିକମ୍‌ରେ ୪ଟି ଔଷଧର ପରୀକ୍ଷଣ ଏବଂ ସଂଶ୍ଳେଷଣ କରାଯାଉଛି। ଦ୍ବିତୀୟତଃ ନୂଆ ଔଷଧର ବିକାଶ କରାଯାଇ ସେଗୁଡ଼ିକୁ ପରୀକ୍ଷାଗାରରେ ପରୀକ୍ଷାନିରୀକ୍ଷା କରାଯାଉଛି। ତୃତୀୟତଃ ଏଣ୍ଟି-ଭାଇରାଲ୍ ଗୁଣ ଥିବା ଜଡିବୁଟି ଏବଂ ଉତ୍ପାଦ ଗୁଡ଼ିକର ମଧ୍ୟ ପରୀକ୍ଷାନିରୀକ୍ଷା କରାଯାଉଛି। ଦେଶର ଅନେକ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ସହିତ ଷ୍ଟାଟ୍‌—ପ୍ ଉଦ୍ୟୋଗ ଗୁଡ଼ିକ ନୂଆ ପରୀକ୍ଷାର ବିକାଶ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଉଭୟ ରିଭର୍ସ ଟ୍ରାନ୍ସକ୍ରିପସନ-ପଲମରେଜ୍ ଚେନ୍ ରିଆକ୍ସନ (ପିଟି-ପିସିଆର୍‌) ଏବଂ ଆଣ୍ଟିବଡି ଚିହ୍ଟଟ ଆଭିମୁଖ୍ୟ ରହିଛି। ଦେଶବ୍ୟାପୀ ଥିବା ବୈଜ୍ଞାନିକ ପ୍ରୟୋଗଶାଳା ଗୁଡ଼ିକ ମଧ୍ୟରେ ସମନ୍ବୟ ରଖାଯାଇ ଉପରୋକ୍ତ ଉଭୟ ପ୍ରକାର ପରୀକ୍ଷାର କ୍ଷମତା ବଢ଼ାଯାଇଛି। ଦେଶରେ ପରୀକ୍ଷା ପାଇଁ ଆବଶ୍ୟକ ରାସାୟନିକ ପ୍ରତିକ୍ରିୟା ସାଧକ ପଦାର୍ଥର ଆମଦାନି ଅଭାବ ଜନିତ ସମସ୍ୟାକୁ ଉଭୟ ଭାରତୀୟ ଷ୍ଟାର୍ଟ-ଅପ୍ ଏବଂ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ମିଳିତଭାବେ ମିଶି ସମାଧାନ କରିପାରିଛନ୍ତି। ଏହାର ବର୍ତ୍ତମାନ ଆବଶ୍ୟକତାକୁ ପୂରଣ କରାଯାଇପାରିଛି। ବର୍ତ୍ତମାନ ଯେଉଁଭଳି ଗୁରୁତ୍ବର ସହ କାର୍ଯ୍ୟ କରାଯାଉଛି ତାହାଦ୍ବାରା ଏ କ୍ଷେତ୍ରରେ ଏକ ଦୀର୍ଘମିଆଦୀ ଲାଭ ମିଳିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ଅନ୍ୟପକ୍ଷରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଭାରତ ଉପରେ କରୋନା ଭୂତାଣରୁ ଟିକା ଓ ଔଷଧ ବିକାଶ ନେଇ ଦୃଢ଼ ଆଶା ରଖାଯାଇଛି। ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳରେ ଭାରତ ଭଳି ଦେଶ ବିଶ୍ବର ବୃହତ୍‌ ଟିକା ନିର୍ମାତାଙ୍କ ମଧ୍ୟରେ ଅନ୍ୟତମ। କରୋନା-୧୯ ମହାମାରୀ ଦୂର କରିବାରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଆବଶ୍ୟକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।

କୋଭିଡ୍ ପାଇଁ ହେପାଟାଇଟିସ୍‌ ଔଷଧ ପ୍ରୟୋଗ ଲାଗି ‘କାଡିଲା’ ଲୋଡ଼ିଲା ଅନୁମତି
ନୂଆଦିଲ୍ଲୀ : କରୋନାଭୂତାଣୁର ମୁକାବିଲା ପାଇଁ ସାରା ବିଶ୍ବରେ ଏବେ ବିକଳ୍ପ ଉପଚାର ବ୍ୟବସ୍ଥାମାନ ଚାଲୁ ରହିଛିା ତେବେ ଏ ପରିପ୍ରେକ୍ଷୀରେ ହେପାଟାଇଟିସ୍‌ ପାଇଁ ବ୍ୟବହାର କରାଯାଉଥିବା ‘ପେଗିଲେଟେଡ୍ ଇଣ୍ଟରଫେରନ୍ ଆଲ୍‌ଫା–୨ବି’ ବା ପେଗିହେପ୍ ଔଷଧକୁ ଭାରତରେ ବିଶେଷ କରି ବୟସ୍କ କୋଭିଡ୍–୧୯ ରୋଗୀଙ୍କ ଠାରେ ଉପଯୋଗ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଭାରତୀୟ ଔଷଧ ନିର୍ମାତା ଜାଇଡସ୍‌ କାଡି଼ଲା ଏହି ଔଷଧର ନୈଦାନିକ ପରୀକ୍ଷଣ କରିବା ପାଇଁ ଭାରତୀୟ ଭେଷଜ ମହାନିୟନ୍ତ୍ରକଙ୍କ ଅନୁମତି ଲୋଡି଼ଛିା ଏହି ଔଷଧ ଚୀନ୍ ଓ କ୍ୟୁବାରେ କୋଭିଡ୍–୧୯ରୋଗୀଙ୍କ ଠାରେ ପ୍ରୟୋଗ କରାଯାଉଥିବା ବେଳେ ଭାରତରେ ଏହାର ବ୍ୟବହାର କେବଳ ହେପାଟାଇଟିସ୍‌ ବି ଓ ସି ଆକ୍ରାନ୍ତଙ୍କ ଠାରେ ସୀମିତ ରହିଛିା ଅପରପକ୍ଷେ, ଆମେରିିକା ଏବଂ ଚୀନ୍‌ରେ କୋଭିଡ୍–୧୭ ରୋଗୀଙ୍କ ଠାରେ ‘ପେଗିହେପ୍’ର ସଂଘଟିତ ବ୍ୟାବହାରିକ ପରୀକ୍ଷଣରୁ ରୋଗୀଙ୍କ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିବା ଜଣାଯାଇଛିା ତାହାକୁ ଭିତ୍ତି କରି ଭାରତରେ ଏହାର ଉପଯୋଗ ଆରମ୍ଭ କରିବା ସମୟୋପଯୋଗୀ ହେବ ବୋଲି କମ୍ପାନି ପକ୍ଷରୁ କହାଯାଇଛି।

ସମ୍ବନ୍ଧିତ ଖବର