କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା : ୩୦ ଯାତ୍ରୀଙ୍କ ମୃତ୍ୟୁ, ୨୦୦ ଆହତ; ମୃତାହତ ସଂଖ୍ୟା ବୃଦ୍ଧି ଆଶଙ୍କା

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ‌ରେଳ ଷ୍ଟେସନ ନିକଟରେ ଆଜି ସନ୍ଧ୍ୟାରେ ଘଟିଛି ଏକ ଭୟାବହ ରେଳ ଦୁର୍ଘଟଣା। କୋଲକାତାରୁ ଶାଲିମାର ଯାଉଥିବା  କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ (୧୨୮୪୧-ଅପ୍‌) ଦ୍ରୁତଗତିରେ ବାହାନଗା ଷ୍ଟେସନ୍ ପାର କରୁଥିବା ବେଳେ ଲାଇନଚ୍ୟୁତ ହୋଇ ଏକ ମାଲଗାଡ଼ି ସହ ଧକ୍କା ଖାଇଥିଲା । ଏହି ଭୟାବହ ଦୁର୍ଘଟଣାରେ ୩୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଦକ୍ଷିଣପୂର୍ବ ରେଳ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ୨୦୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।  ଆହତଙ୍କ ମଧ୍ୟରୁ ୪୭ ଜଣଙ୍କୁ ବାଲେଶ୍ବର ମେଡିକାଲ କଲେଜ ଓ ୧୩୨ ଜଣଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ସଂଖ୍ୟା ବୃଦ୍ଧିପାଇବ ବୋଲି ଘଟଣାସ୍ଥଳରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି । ରେଳ ବିଭାଗର ସୂଚନା ଅନୁସାରେ କରମଣ୍ଡଳ ଏକ୍ସପ୍ରେସର ୭ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୭ଟି ବଗି ଲାଇନଚ୍ୟୁତ ହୋଇଛି।

ବର୍ତ୍ତମାନ ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଉଛି।  ଆହତ ଏବଂ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ବାହାନଗା, ସୋର ଓ ବାଲେଶ୍ବର ଡାକ୍ତରଖାନାକୁ ଆମ୍ବୁଲାନ୍ସ ମାଧ୍ୟମରେ ନିଆଯାଉଛି। ପ୍ରଥମେ ସ୍ଥାନୀୟ ଲୋକଙ୍କର ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହାପରେ  ଘଟଣାସ୍ଥଳରେ ୩ ଏନ୍‌ଡିଆରଏଫ୍‌ ଓ ୪ ଓଡ୍ରାଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦୁର୍ଘଟଣାସ୍ଥଳରେ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ରେଳବାଇ ପକ୍ଷରୁ ହେଲ୍‌ପଲାଇନ୍‌ ନମ୍ବର ଜାରି ହୋଇଛି।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ୍‌ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍‌ (୧୨୮୪୧-ଅପ୍‌) ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଟ୍ରେନ୍‌ଟି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ଅପରାହ୍ନ ପ୍ରାୟ ୭ଟା‌ ୨୦ ମିନିଟ୍‌ରେ ବାହାନଗା ଷ୍ଟେସନ୍‌ ନିକଟରେ ଲାଇନଚ୍ୟୁତ ହୋଇ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଟେନ୍‌ ଉପରେ ଏହା ଚଢ଼ିଯାଇଥିଲା। କରମଣ୍ଡଳ ଏକ୍ସପ୍ରେସ୍ ଆଜି ଶାଲିମାର ଷ୍ଟେସନ୍‌ରୁ ଚେନ୍ନାଇ ଅଭିମୁଖେ ଅପରାହ୍ଣ ୩ଟା ୩୦ରେ ବାହାରିଥିଲା। ସନ୍ତ୍ରାଗାଛି ଷ୍ଟେସନ୍‌ରୁ ଏହି ଟ୍ରେନ୍‌ ୩ଟା ୪୩, ଖଡ଼ଗପୁରରୁ ସନ୍ଧ୍ୟା ୫ଟା ଓ ବାଲେଶ୍ବର ଷ୍ଟେସନ୍‌ରୁ ସନ୍ଧ୍ୟା ୬ଟା ୩୦ରେ ଛାଡ଼ିଥିଲା। ରାତି ପ୍ରାୟ ୭ଟା ୨୦ ବେଳକୁ ଟ୍ରେନ୍‌ଟି ବାହାନଗା ଷ୍ଟେସନ୍‌ ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲା।

ସମ୍ବନ୍ଧିତ ଖବର