ଦିଲ୍ଲୀର ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ : ୩୫ ମୃତ, ୨୫ ଆହତ

ନୂଆଦିଲ୍ଲୀ: ରବିବାର ସକାଳେ ଦିଲ୍ଲୀର ରାଣୀ ଝାନ୍‌ସୀ ରୋଡ୍‌ରେ ଥିବା ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ଘଟି ଅନ୍ୟୂନ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଅନାଜ ମଣ୍ଡିର ଗୋଟାଏ କାରଖାନାରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଆହତ ହୋଇଥିବା ପ୍ରାୟ ୨୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଲୋକ ନାୟକ ଜୟପ୍ରକାଶ ହସ୍‌ପିଟାଲ୍‌ର କର୍ତ୍ତୃପକ୍ଷଙ୍କ ଅନୁସାରେ  ଡାକ୍ତରଖାନାକୁ ଅଣାଯାଇଥିବା ୧୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହା ବାଦ ଅନ୍ୟମାନେ ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଦିଲ୍ଲୀ ଉତ୍ତର ଡିସିପି ମୋନିକା ଭରଦ୍ୱାଜ କହିଛନ୍ତି ଯେ ଅଗ୍ନିକାଣ୍ଡରେ ୩୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

ଭୋର୍‌ରୁ ନିଆଁ ଲାଗିଲା ଫଳରେ  ଘର ଭିତରେ ୨୦ ଜଣ ଲୋକ ରହିଯାଇଥିଲେ, ବାହାରି ପାରି ନଥିଲେ। ସେମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସକାଳ  ୫ଟା ୨୨ରେ ଅଗ୍ନିକାଣ୍ଡ ସଂପର୍କରେ ଅଗ୍ନିଶମ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳକୁ ୩୦ଟି ଦମକଳ ଆସିଥିଲା।

Image Source: Hindustan Times

ଗଣମାଧ୍ୟମକୁ ଦିଲ୍ଲୀ ଡେପୁଟି ଫାୟାର୍‌ ଚିଫ୍‌ ଅଫିସର୍‌ ସୁନୀଲ ଚୌଧୁରୀ କହିଛନ୍ତି, ୬୦୦ ବର୍ଗଫୁଟ୍‌ ସ୍ଥାନରେ ନିଆଁ ଲାଗିଯାଇଛି। ଭିତର ଭାରି ଅନ୍ଧାର ହୋଇଥିଲା ତେଣୁ ଉଦ୍ଧାର କାର୍ଯ୍ୟରେ ବାଧା ଆସିଥିଲା । ନିଆଁ ଲାଗିଥିବା କାରଖାନାରେ ସ୍କୁଲ୍‌ ବ୍ୟାଗ୍‌, ବୋତଲ ଏବଂ ଅନ୍ୟାନ୍ୟ ଜିନିଷ ରଖାଯାଇଥିଲା ତେଣୁ ନିଆଁ ଜୋର ଧରିଥିଲା।

ଏହି ଅଘଟଣରେ ନିଆଁ ଧାସରେ ବହୁ ଲୋକ ଆହତ ହୋଇଛନ୍ତି ଏବଂ ଅନ୍ୟ କେତେଜଣ ଚେତା ହରାଇଛନ୍ତି। କାରଖାନା ମାଲିକଙ୍କ କହିବା ଅନୁସାରେ, ନିଆଁ ଲାଗିବା ବେଳେ ଭିତରେ ୨୦/୨୫ ଜଣ ଶ୍ରମିକ ଶୋଇଥିଲେ।

ଏହି ରିପୋର୍ଟ  ଲେଖାଯିବା ବେଳକୁ  ନିଆଁ ଆୟତ୍ତ ହୋଇଥିବା କଥା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।

ଘଟଣାସ୍ଥଳରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଛି।

ସମ୍ବନ୍ଧିତ ଖବର