ଅଲ୍ ପାସୋ : ଆମେରିକାରେ ୨୪ ଘଣ୍ଟା ଭିତରେ ଦୁଇଟି ବଡ଼ ଧରଣର ଆକ୍ରମଣ ହୋଇଛି। ଦୁଇଟି ପୃଥକ ସ୍ଥାନରେ ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିମାଡ଼ରେ ୩୦ ଜଣ ପ୍ରାଣ ହରାଇଛନ୍ତି ଏବଂ ୪୦ରୁ ଅଧିକ ଆହତ ହୋଇଛନ୍ତି।
ପ୍ରଥମ ଘଟଣାଟି ଶନିବାର ଅପରାହ୍ନରେ ଟେକ୍ସାସ୍ର ଏଲ୍ ପାସୋ ସହରରେ ଘଟିଛି। ବିଶ୍ବର ବଡ଼ ରିଟେଲର ୱାଲମାର୍ଟ ଷ୍ଟୋର୍ରେ ଲୋକମାନେ କିଣାକିଣିରେ ବ୍ୟସ୍ତ ଥିବାବେଳେ ହଠାତ୍ ଜଣେ ବ୍ୟକ୍ତି ଗୁଳି ଚଳାଇବା ଆରମ୍ଭ କରିଦେଇଥିଲା। କେହି କିଛି ବୁଝିବା ପୂର୍ବରୁ ଏଥିରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ୨୬ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆଉ ଏକ ଗୁଳିକାଣ୍ଡ ରବିବାର ଓହିୟୋରେ ଘଟିଛି। ଜଣେ ବ୍ୟକ୍ତିର ଆଖିବୁଜା ଗୁଳିମାଡ଼ରେ ୧୦ ଜଣ ପ୍ରାଣ ହରାଇଛନ୍ତି। ପୁଲିସର ପାଲଟା ଗୁଳିମାଡ଼ରେ ହତ୍ୟାକାରୀର ମୃତ୍ୟୁ ଘଟିଛି। ଏହି ଗୁଳିକାଣ୍ଡରେ ଆଉ ୪ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।
ଗତ ସପ୍ତାହକ ମଧ୍ୟରେ ୱାଲମାର୍ଟ ଷ୍ଟୋରରେ ଏହା ଦ୍ବିତୀୟ ଗୁଳିକାଣ୍ଡ। ପୂର୍ବରୁ ଗତ ସପ୍ତାହରେ ମିସିସିପିର ୱାଲମାର୍ଟ ଷ୍ଟୋରରେ ଏଭଳି ଗୁଳିକାଣ୍ଡ ହୋଇଥିଲା। ଏଥିରେ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ପୁଲିସ ଅଧିକାରୀ ଆହତ ହୋଇଥିଲେ। ତେବେ ଶନିବାରର ଘଟଣାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ପୁଲିସ ନିଜ ହେପାଜତକୁ ନେଇଛି। ଅଲ୍ ପାସୋର ୱାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ ପରେ ଅନେକ ବ୍ୟକ୍ତି ତଳେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା। ବନ୍ଧୁକ ଗୁଳି ଶବ୍ଦ ଶୁଣିବା ମାତ୍ରେ ଅନେକ ଲୋକ ଷ୍ଟୋର ଭିତରୁ ବାହାରକୁ ଦୌଡ଼ିବା ଆରମ୍ଭ କରିଦେଇଥିଲେ। ସ୍ଥାନୀୟ ପୁଲିସ ମୁଖ୍ୟ ଗ୍ରେଗ୍ ଆଲେନ ୨୦ ମୃତ ଏବଂ ୨୬ ଜଣ ଆହତ ହୋଇଥିବା ବିଷୟକୁ ସ୍ବୀକାର କରିଛନ୍ତି। ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନେକ ଶିଶୁ ଅଛନ୍ତି। ଆହତମାନଙ୍କର ବୟସ ୨ ବର୍ଷରୁ ୮୨ ବର୍ଷ ମଧ୍ୟରେ ରହିଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ପୁଲିସର କହିବା ଅନୁଯାୟୀ, ଗୁଳିକାଣ୍ଡ ବେଳେ ଷ୍ଟୋର ଭିତରେ ଖଚାଖଚ୍ ଭିଡ଼ ରହିଥିଲା। ତିନି ହଜାର ପର୍ଯ୍ୟନ୍ତ ଗ୍ରାହକ କିଣାକିଣିରେ ବ୍ୟସ୍ତ ଥିଲେ। ଏହି ଘଟଣାରେ ପୁଲିସ ଅଟକ ରଖିଥିବା ସନ୍ଦିଗ୍ଧ ବ୍ୟକ୍ତି ଜଣକ ହେଉଛି ଜଣେ ୨୧ ବର୍ଷର ଯୁବକ। ତାର ନାମ ଆଲେନ ହୋଇଥିବା ବେଳେ ଘର ଟେକ୍ସାସରେ ବୋଲି କୁହାଯାଇଛି। ସେ ଏକେ-୪୭ ରାଇଫଲ ଧରିଥିବା ଭଳି ଜଣାପଡ଼ୁଛି। ଏହି ମାମଲାରେ ଟେକ୍ସାସ ଗଭର୍ଣ୍ଣର ଗ୍ରେଗ୍ ଆବଟ୍ କହିଛନ୍ତି ଯେ ଟେକ୍ସାସ ପ୍ରଦେଶର ଇତିହାସରେ ଏଭଳି ଜଘନ୍ୟ ଅପରାଧ ଖୁବ୍ ବିରଳ। ସରକାରୀ ଅଧିକାରୀମାନେ ଏହି ଘଟଣାର ଆତଙ୍କବାଦୀ ଦିଗକୁ ମଧ୍ୟ ଅନୁଧ୍ୟାନ କରୁଛନ୍ତି।
ଆମେରିକାରେ ଗଣହତ୍ୟା ମାମଲା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ବିଭିନ୍ନ ମହଲ ଉଦ୍ବେଗ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗଣସଂହାର ଘଟଣାରେ ଦୁଃଖ ପ୍ରକାଶ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଉଭୟ ଘଟଣାରେ ଏଫ୍ବିଆଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏହା ପଛରେ ଘୃଣା ହିଂସା ପ୍ରମୁଖ କାରଣ ବୋଲି କୁହାଯାଉଛି। ତେବେ ଉଭୟ ଗୁଳିକାଣ୍ଡ ଘଟଣା ପଛରେ ଆତଙ୍କବାଦୀ ଷଡ଼ଯନ୍ତ୍ର ଥିବା ନେଇ କିଛି ସ୍ପଷ୍ଟ ହୋଇନାହିଁ।
ଆମେରିକାରେ ଗତ ସପ୍ତାହେ ହେଲା ବନ୍ଧୁକ ଆତଙ୍କ ଦେଖାଦେଇଛି। ଗତ ରବିବାର ଉତ୍ତର କାଲିଫର୍ଣ୍ଣିଆରେ ଜଣେ ବନ୍ଧୁକଧାରୀର ଗୁଳିମାଡ଼ରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ୨ ଜଣ ଶିଶୁ ରହିଥିଲେ। ଏକ ଖାଦ୍ୟ ମେଳାରେ ଏହି ଗୁଳିକାଣ୍ଡ ହୋଇଥିଲା। ଦେଶରେ ବନ୍ଧୁକ ଆତଙ୍କକୁ ଦୂର କରିବା ପାଇଁ କଠୋର ପଦକ୍ଷେପ ନେବାକୁ ରାଜନେତାମାନେ ଦାବି କରିଛନ୍ତି।