ନୂଆଦିଲ୍ଲୀ:  ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୩୦ ଓମିକ୍ରନ ଆକ୍ରାନ୍ତ । ୪ଟି ରାଜ୍ୟରୁ ଏହି ୩୦ ନୂତନ ସଂକ୍ରମିତ ସାମ୍ନାକୁ ଆସିଛନ୍ତି। ତେଲେଙ୍ଗାନାରୁ ସର୍ବାଧିକ ୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ମହାରାଷ୍ଟ୍ରରୁ ୮, କର୍ଣ୍ଣାଟକରୁ ୬ , କେରଳରୁ ୪  ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦ରେ ପହଞ୍ଚିଛି ।

Advertisment

ଆଜି ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ୮ଜଣଙ୍କ ମଧ୍ୟରୁ ୪ଜଣ ମୁମ୍ବାଇ, ୩ ଜଣ ସତାରା ଓ ଜଣେ ପୁନେରୁ ଚିହ୍ନଟ ହୋଇଛନ୍ତି । ମୁମ୍ବାଇ ବିମାନବନ୍ଦରରେ ସ୍କ୍ରିନିଂବେଳେ ୪ଜଣ ଚିହ୍ନଟ ହୋଇଛନ୍ତି । ୨ ଜଣ ଦକ୍ଷିଣ ଆଫ୍ରିକାରୁ ଫେରୁଥିଲେ, ଜଣେ ତାଞ୍ଜାନିଆ ଓ ଅନ୍ୟ ଜଣେ ୟୁକେରୁ ଫେରୁଥିଲେ । ସେହିପରି ତେଲେଙ୍ଗାନାରୁ  ଚିହ୍ନଟ ୧୨ଜଣଙ୍କ ମଧ୍ୟରୁ ୨ ଜଣ ‘ଆଟ୍ ରିସ୍କ’ ଦେଶରୁ ଆସିଥିବା ବେଳେ ଅନ୍ୟ ୧୦ ଜଣ ଅନ୍ୟାନ୍ୟ ଦେଶରୁ ଆସିଛନ୍ତି। ତେଲେଙ୍ଗାନା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସବୁଠାରୁ ବଡ କଥା ହେଉଛି, ସମସ୍ତେ ଟିକା ନେଇଥିଲେ ଓ ସେମାନଙ୍କ ନିକଟରେ ଲକ୍ଷଣ ଜଣାପଡୁଥିଲା । ସତାରାରୁ ଚିହ୍ନଟ ହୋଇଥିବା ତିନି ଜଣ ମଧ୍ୟ ଆଫ୍ରିକାରୁ ଫେରିଛନ୍ତି । ମହାରାଷ୍ଟ୍ରରେ ସବୁଠୁ ଅଧିକ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୪୮ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି । ସେହିପରି ରାଜସ୍ଥାନରୁ ୧୭, କର୍ଣ୍ଣାଟକରୁ ୧୪, କେରଳରୁ ୧୧, ତେଲେଙ୍ଗାନାରୁ ୯, ଗୁଜୁରାଟରୁ ୭, ତାମିଲନାଡୁରୁ ଜଣେ ଓ ପଶ୍ଚିମବଙ୍ଗରୁ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଫେବ୍ରୁଆରିରେ ଶୀର୍ଷରେ ପହଞ୍ଚିବ ଓମିକ୍ରନ ସଂକ୍ରମଣ । ଭାରତରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏଭଳି ଏକ ଅନୁମାନ କରିଛି କୋଭିଡ ୧୯ ସୁପର ମଡେଲ ପାନେଲ୍ । ଜାତୀୟ କୋଭିଡ୍ ୧୯ ମଡେଲ ପା‌ନେଲ୍ ଅଧ୍ୟକ୍ଷ ପ୍ରଫେସର ବିଦ୍ୟାସାଗର କହିଛନ୍ତି ଯେ ଭାରତରେ ଓମିକ୍ରନ୍ ଯୋଗୁଁ ତୃତୀୟ ଲହର ଆସିବ କିନ୍ତୁ ତାହା ଦ୍ବିତୀୟ ଲହର ଭଳି ଘାତକ ହେବନାହିଁ। ଏହାର ପ୍ରଭାବ ତୁଳନାତ୍ମକ ଭାବେ କମ୍ ରହିବ।