ନୂଆଦିଲ୍ଲୀ: ମିଆଁମାରରେ ଚାଲିଥିବା ସଂଘର୍ଷ ମଧ୍ୟରେ ମଙ୍ଗଳବାର ପୁଣି ଥରେ ମ୍ୟାମାର ସେନାର ୩୦ ଜଣ ଯବାନ ନିଜ ନିଜର ଅସ୍ତ୍ରଶସ୍ତ୍ର ସହ ଭାରତୀୟ ସୀମା ଅତିକ୍ରମ କରି ମିଜୋରାମରେ ପ୍ରବେଶ କରିଛନ୍ତି । ବିଦ୍ରୋହୀମାନଙ୍କ ଆକ୍ରମଣ ଯୋଗୁଁ ଭୟରେ ସେମାନେ ଭାରତକୁ ପଳାଇଆସିଥିବା ଜଣାପଡ଼ିଛି । ଏହା ପରେ ମିଜୋରାମରେ ଭାରତ- ମିଆଁମାର ସୀମାରେ ନିୟୋଜିତ ଆସାମ ରାଇଫଲ୍ସ ଯବାନମାନେ ସେମାନଙ୍କୁ ଅଟକ ରଖିଥିଲେ। ଆସାମ ରାଇଫଲ୍ସ ଯବାନମାନେ ଏହି ଯବାନମାନଙ୍କୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ସିଆହାର ସିଓବି ତୁଆପାଙ୍ଗକୁ ନେଉଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୮ଟାରେ ମିଆଁମାର ସେନାର ୩୦ ଜଣ ଯବାନ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଧରି ମିଜୋରାମର ସିଆହା ଜିଲ୍ଲାରେ ପ୍ରବେଶ କରିଥିଲେ। ଏହାପରେ ସିଆହାର ସିଓବି ଲାକିରେ ମୁତୟନ ଥିବା ଆସାମ ରାଇଫଲ୍ସ ଯବାନମାନେ ସେମାନଙ୍କୁ ଅଟକ ରଖିଥିଲେ। ସୂତ୍ରରୁ ପ୍ରକାଶ ଯେ ମ୍ୟାମାର ଯବାନମାନେ ୧୮ ନମ୍ବର ସୀମା ନିକଟରେ ଭାରତ-ମିଆଁମାର ସୀମା ଅତିକ୍ରମ କରିଥିଲେ।
ଶନିବାର ଦିନ ପିଡିଏଫ୍/ସିଏନଏ ବିଦ୍ରୋହୀମାନେ ମିଆଁମାର ସେନା ଶିବିର ଉପରେ ଆକ୍ରମଣ କରିବା ପରେ ୩୦ରୁ ଅଧିକ ସୈନିକ ମିଆଁମାରର ମାଟୁପିର ଲାଲେନପିସ୍ଥିତ ସେମାନଙ୍କ କ୍ୟାମ୍ପ ଛାଡ଼ି ପଳାଇଥିବା କୁହାଯାଉଛି। ଏହା ପରେ ସୋମବାର ସେମାନେ ଭାରତ-ମିଆଁମାର ସୀମା ନିକଟରେ ପହଞ୍ଚିଥିଲେ ଏବଂ ମଙ୍ଗଳବାର ସେମାନେ ମିଜୋରାମରେ ପ୍ରବେଶ କରିଥିଲେ।