ରାଇପୁର: ଛତିଶଗଡ ଏନକାଉଣ୍ଟରରେ ବଢୁଛି ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା । ମୋଟ୍ ୩୦ ନକ୍ସଲଙ୍କୁ ନିପାତ୍ କରିଛନ୍ତି ଯବାନ । ଛତିଶଗଡ ବିଜାପୁର ଏବଂ କାଙ୍କେରରେ ବଡ ଧରଣର ଏନକାଉଣ୍ଟରରେ ସୁରକ୍ଷା କର୍ମୀଙ୍କୁ ବଡ ସଫଳତା ମିଳିଛି । ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଛନ୍ତି ୩୦ ମାଓବାଦୀ । 

Advertisment

ତେବେ ବିଜାପୁରରେ ୨୬ ଜଣଙ୍କୁ ନିପାତ କରିଥିବା ବେଳେ କାଙ୍କେର ଜିଲ୍ଲାରେ ୪ ଜଣଙ୍କୁ ମାରିଛନ୍ତି ଯବାନ । ସୁରକ୍ଷା କର୍ମୀଙ୍କ ଗୁଳିରେ ୩୦ ମାଓବାଦୀ ସଫା ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । 

ସେପଟେ ନକ୍ସଲ ମୁକ୍ତ ଭାରତ ଗଠନ ପାଇଁ ଆଗାମୀ ଦିନରେ ମାଓବାଦୀଙ୍କ ନିପାତ ପାଇଁ ଅପରେଜନ ଜୋରଦାର ହେବ । ମାଓବାଦୀଙ୍କ ମୂଳପୋଛ ପାଇଁ ଯବାନମାନେ ସ୍ୱତନ୍ତ୍ର ରଣନୀତି କରୁଥିବା ବେଳେ ମାଓ ନେତା ହିଡମ୍ବାର ସନ୍ଧାନ ପାଇଁ ସେ ଆତଯାତ କରୁଥିବା ୧୨୫ରୁ ଅଧିକ ଗାଁରେ ସ୍ୱତନ୍ତ୍ର ଜ୍ଞାନକୌଶଳ ଜରିଆରେ ମେପିଂ କରାଯିବ । ଓଡିଶା, ଛତିଶଗଡ ଏବଂ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଗାଁରେ ଏବେ ଯବାନମାନେ ଡେରା ପକାଇଥିବା ବେଳେ ନକ୍ସଲଙ୍କୁ ମୂଳପୋଛ କରିବାକୁ ମୌକା ଖୋଜୁଛନ୍ତି । ତେବେ ଚଳିତ ବର୍ଷ ମୋଟ୍ ୧୦୫ ନକ୍ସଲଙ୍କୁ ନିପାତ କରାଯାଇଥିବା ଛତିଶଗଡର ଜଣେ ପୋଲିସ ଅଫିସର ସୂଚନା ଦେଇଛନ୍ତି ।

ସେପଟେ ତେବେ ସୁରକ୍ଷା କର୍ମୀଙ୍କ ଏହି ସଫଳତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଶାହା ଲେଖିଛନ୍ତି- ଆଜି ଆମ ଯବାନମାନେ ‘ନକ୍ସଲ ମୁକ୍ତ ଭାରତ ଅଭିଯାନ’ ଦିଗରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଛତିଶଗଡର ବିଜାପୁର ଏବଂ କାଙ୍କେରରେ ଆମର ସୁରକ୍ଷା ବାହିନୀ ଦୁଇଟି ପୃଥକ ଅପରେସନରେ ୨୬ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି । ଯାହା ଆମ ପାଇଁ ବଡ କଥା । ମୋଦୀ ସରକାର ନକ୍ସଲଙ୍କ ବିରୁଦ୍ଧରେ ଏକ ନିର୍ଦ୍ଦୟ ଆଭିମୁଖ୍ୟ ସହ ନକ୍ସଲମାନଙ୍କ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ ଦେଶ ନକ୍ସଲ ମୁକ୍ତ ହେବାକୁ ଯାଉଛି ।