ଦିମାପୁର : ଗତ ବର୍ଷ ୧୩ ଜଣ ସାଧାରଣ ଲୋକଙ୍କୁ ମାରିବା ଅଭିଯୋଗରେ ସେନାର ଜଣେ ଅଧିକାରୀ ଓ ୨୯ ଜଣ ଯବାନଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି ନାଗାଲାଣ୍ଡ ପୁଲିସ । ଗୁଳି ଚଳାଇବା ପୂର୍ବରୁ ସେନା ପକ୍ଷରୁ ଏସଓପିର ପାଳନ କରାଯାଇନଥିଲା ବୋଲି ପୁଲିସର ସ୍ବତନ୍ତ୍ର ତଦନ୍ତକାରୀ ଟିମ (ଏସଆଇଟି) କହିଛି ।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବର ୪ରେ ନାଗାଲ୍ୟାଣ୍ଡର ମୋନ୍ ଜିଲ୍ଲାର ତିରୁ ଅଂଚଳରେ ହୋଇଥିବା ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ଅତି କମ୍ରେ ୧୩ ଜଣ ଓ ପରବର୍ତ୍ତୀ ହିଂସାରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଅଂଚଳ ମିଆଁମାର ସୀମାର ଅତି ନିକଟରେ ଅବସ୍ଥିତ ଥିବା ବେଳେ ଭୁଲ୍ ଗୁଇନ୍ଦା ସୂଚନା ଯୋଗୁଁ ଏତେବଡ଼ ଅନର୍ଥ ଘଟିଥିବା କୁହାଯାଇଥିଲା । ଏହି ଘଟଣାକୁ ନେଇ ନାଗାଲାଣ୍ଡରେ ଜନ ଅସନ୍ତୋଷ ବଢିବା ପରେ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ (ଏସଆଇଟି) ଗଠନ କରିଥିଲେ ।
ଏହି ଘଟଣା ପରେ ସେନା ପକ୍ଷରୁ ଏକ ବିବୃତିରେ କୁହାଯାଇଥିଲା ଯେ ଏକ ଭୁଲ୍ ତଥ୍ୟ ଉପରେ ବିଶ୍ବାସ କରିବାରୁ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା। ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଉଛି ଏବଂ ଦୋଷୀ ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ସେନା ପକ୍ଷରୁ ଏହି ତଦନ୍ତର ଅଗ୍ରଗତି ଉପରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ ।