୩୦ ହଜାର ପିଲାଙ୍କ ଆଧାର ‘ଟ୍ରାକ୍‌ ଚାଇଲ୍ଡ’ ସହ ସଂଯୋଗ

ଆଶ୍ରୟସ୍ଥଳ ଉପରେ ରହିବ ନଜର

ନୂଆଦିଲ୍ଲୀ: ବିହାର ମୁଜାଫରପୁର ଏବଂ ଉତ୍ତର ପ୍ରଦେଶର ଦେଓରିଆ ଆଶ୍ରୟସ୍ଥଳରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ନାନା ପ୍ରକାର ନିର୍ଯାତନା ଦିଆଯିବା ଘଟଣାର ପର୍ଦାଫାସ ପରେ ସରକାର ଏହାକୁ ଗୁରୁତ୍ୱର ସହ ନେଇ ଅନ୍ୟ ଆଶ୍ରୟସ୍ଥଳଗୁଡ଼ିକର ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ପଦକ୍ଷେପ ନେଇଛନ୍ତି। ନାବାଳିକାମାନଙ୍କୁ କିଭଳି ସୁରକ୍ଷିତ ଭାବେ ରଖାଯାଇ ପାରିବ ସେଥିପାଇଁ ବିଭିନ୍ନ ଯୋଜନା ତିଆରି କରାଯାଉଛି। ଏକ ସଦ୍ୟ ପଦକ୍ଷେପ ସ୍ୱରୂପ କେନ୍ଦ୍ର ସରକାର ଦେଶର ୩୦,୦୦୦ରୁ ଊର୍ଧ୍ୱ ନାବାଳିମାନଙ୍କ ଆଧାର କାର୍ଡକୁ ‘ଟ୍ରାକ୍‌ ଚାଇଲ୍ଡ’ ପୋର୍ଟାଲ୍‌ ସହ ସଂଯୋଗ କରିଛନ୍ତି। ଏହାଦ୍ୱାରା ନାବାଳିକାମାନଙ୍କୁ ଟ୍ରାକ୍‌ କରାଯାଇ ପାରିବ। ଆଶ୍ରୟସ୍ଥଳରୁ ନିଖୋଜ ନାବାଳିକାଙ୍କ ସଂଖ୍ୟା ବଢ଼ିବା ପରେ ସରକାର ଏହି ଯୋଜନା କରିଛନ୍ତି। ଯୋଜନା ମୁତାବକ ନାବାଳିକାମାନଙ୍କର ଆଧାରକୁ ଏହି ପୋର୍ଟାଲ୍‌ ସହାୟତାରେ ଏକ କେନ୍ଦ୍ରୀୟ ଡାଟାବେସ୍‌ରେ ଗଚ୍ଛିତ ରଖାଯିବ। ନିୟମିତ ଭାବେ ଏହାକୁ ଟ୍ରାକ୍‌ କରାଯିବ। ଦେଶର ଯେ କୌଣସି ରାଜ୍ୟରେ ଥିବା ଆଶ୍ରୟସ୍ଥଳରୁ ନାବାଳିକା ନିଖୋଜ ହେଲେ ପୋର୍ଟାଲ୍‌ ଓ ଆଧାର ସହାୟତାରେ ସେମାନଙ୍କୁ ଟ୍ରାକ୍‌ କରାଯାଇ ପାରିବ। ଖାଲି ସେତିକି ନୁହେଁ, ଏହି ପୋର୍ଟାଲ୍‌ ଆଶ୍ରୟସ୍ଥଳ, ପୁଲିସ ବିଭାଗ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ଵୟ ରଖିପାରିବ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଅଧିକାରୀଙ୍କ ସୂଚନା ଅନୁସାରେ ବିଭିନ୍ନ ଆଶ୍ରୟସ୍ଥଳରେ ରହିଥିବା ପିଲାମାନଙ୍କ ସଂଖ୍ୟା ନିୟମିତ ଭାବେ ଯାଞ୍ଚ କରାଯିବ। ଏଥିପାଇଁ ଆଧାରର ସହାୟତା ନିଆଯିବ। ତେଣୁ ବର୍ତ୍ତମାନ ସୁଦ୍ଧା ୩୦,୮୩୫ ପିଲାଙ୍କ ଆଧାରକୁ ‘ଟ୍ରାକ୍‌ ଚାଇଲ୍ଡ’ ପୋର୍ଟାଲ୍‌ ସହିତ ଲିଙ୍କ୍‌ କରାଯାଇଛି। ଦେଶରେ ଏବେ ୯,୦୦୦ରୁ ଅଧିକ ଆଶ୍ରୟସ୍ଥଳ ରହିଛି, ଯେଉଁଥିରେ ୨,୬୧,୫୬୬ ପିଲା ରହୁଛନ୍ତି। ଏମାନଙ୍କ ଆଧାରକୁ ଟ୍ରାକ୍‌ ଚାଇଲ୍ଡ ପୋର୍ଟାଲ୍‌ ସହିତ ଲିଙ୍କ୍‌ କରାଯିବ।

ସମ୍ବନ୍ଧିତ ଖବର