ନୂଆଦିଲ୍ଲୀ: ସରକାରୀ ତେଲ କମ୍ପାନିଗୁଡ଼ିକ ଗ୍ରାହକଙ୍କୁ ରିହାତି ଦରରେ ଏଲ୍‌ପିଜି ଯୋଗାଇ ଦେଉଛନ୍ତି। ଏଥିଯୋଗୁ ସେମାନେ କ୍ଷତି ସହୁଛନ୍ତି। କ୍ଷତିଭରଣା ପାଇଁ ସେମାନଙ୍କୁ ୩୦ ହଜାର କୋଟି ଟଙ୍କା ପ୍ରଦାନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଆଜି ମଞ୍ଜୁରି ମିଳିଛି। କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। 
ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ସୁଲଭ ମୂଲ୍ୟରେ ଏଲ୍‌ପିଜି ଉପଲବ୍ଧ କରାଇବା ଲ‌ାଗି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ତୈଳ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଏହି ଅର୍ଥକୁ ଭାରତୀୟ ତୈଳ ନିଗମ ଲିମିଟେଡ, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡକୁ ୧୨ଟି କିସ୍ତିରେ ପ୍ରଦାନ କରାଯିବ। କମ୍ପାନିଗୁଡ଼ିକ ମଧ୍ୟରେ ଏହି ରାଶି କିଭଳି ବଣ୍ଟନ କରାଯିବ ତାହା ପେଟ୍ରୋଲୟିମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ନିର୍ଦ୍ଧାରଣ କରିବ। ଅନ୍ତର୍ଜାତୀୟ ବଜାରରେ ଏଲ୍‌ପିଜି ଦର ୨୦୨୪-୨୫ ଠାରୁ ଅଧିକ ରହିଛି। ଖାଉଟିକୁ ଦର ହ୍ରାସବୃଦ୍ଧିରୁ ସୁରକ୍ଷା ଦେବା ପାଇଁ କମ୍ପାନିଗୁଡ଼ିକ ବିପୁଳ କ୍ଷତି ସହିବା ସତ୍ତ୍ବେ ସୁଲଭ ଦରରେ ଏଲ୍‌ପିଜି ଯୋଗାଇ ଆସୁଛନ୍ତି। ସରକାର ପ୍ରଦାନ କରିବାକୁ ଥିବା କ୍ଷତିପୂରଣ ରାଶି ତେଳ କମ୍ପାନିଗୁଡ଼ିକର ଅଶୋଧିତ ତେଲ ଏବଂ ଏଲ୍‌ପିଜି କ୍ରୟ, ଋଣ ଓ ସୁଧ ପରିଶୋଧ, ପୁଞ୍ଜି ବ୍ୟୟ ଆଦି କାର୍ଯ୍ୟ ସଂପାଦନରେ ସହାୟକ ହେବ। 
ଏଥିସହିତ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାର ହିତାଧିକାରୀମାନଙ୍କୁ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ପ୍ରଦାନ କରାଯିବାକୁ ଥିବା ୧୨,୦୬୦ କୋଟି ଟଙ୍କାର ସହାୟତାକୁ କ୍ୟାବିନେଟ୍ ମଞ୍ଜୁରି ଦେଇଛି। ମଲ୍ଟିଡିସିପ୍ଲିନାରି ଏଜୁକେସନ ଆଣ୍ଡ୍‌ ରିସର୍ଚ୍ଚ ଇମ୍ପ୍ରୁଭମେଣ୍ଟ ଇନ୍‌ ଟେକ୍ନିକାଲ ଏଜୁକେସନ (ଏମ୍‌ଇଆର୍‌ଆଇଟିଇ)କୁ କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି। ଏଥିରେ ଦେଶର ୨୭୫ଟି ବୈଷୟିକ ଶିକ୍ଷାନୁଷ୍ଠାନ( ୧୭୫ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଏବଂ ୧୦୦ ପଲିଟେକ୍‌ନିକ)ର  ଗୁଣବତ୍ତାରେ ଉନ୍ନତି ଆସିବ। ଏହା ଏକ କେନ୍ଦ୍ରୀୟ ଯୋଜନା। ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ ଏ ବାବଦରେ ୪୨୦୦ କୋଟି ଟଙ୍କା ବ୍ୟୟ ହେବ। ଏଥିରୁ ବିଶ୍ବବ୍ୟାଙ୍କରୁ ୨୧୦୦ କୋଟି ଟଙ୍କା ଋଣ ଆକାରରେ ଆସିବ।

Advertisment