କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ : ୩୦ ବର୍ଷୀୟ ଯୁବକଙ୍କୁ ଦିଆଗଲା ପ୍ରଥମ ଟିକା 

ନୂଆଦିଲ୍ଲୀ : ଆଜିଠାରୁ ଦିଲ୍ଲୀ ଏମ୍ସରେ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନ ର ମାନବ ପରୀକ୍ଷଣ ଆରମ୍ଭ ହୋଇଛି । ଜଣେ ୩୦ ବର୍ଷୀୟ ଯୁବକଙ୍କୁ ସର୍ବପ୍ରଥମ ଥର ପାଇଁ ଏହି ଟିକା ଦିଆଯାଇଛି ।

ଏହି ଟିକା ଦିଆଯିବା ପରେ ତାଙ୍କୁ ଦୁଇ ଘଣ୍ଟା ପାଇଁ ପର୍ଯ୍ୟବେକ୍ଷଣରେ ରଖାଯିବ । ଏହା ପରେ ତାଙ୍କୁ ଘରକୁ ଯିବାକୁ ଦିଆଯିବ । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯିବ ।

ଜଣେ ସ୍ୱେଚ୍ଛାସେବୀ ଭାବେ ଟିକା ପରୀକ୍ଷଣରେ ଭାଗ ନେବାକୁ ଏହି ଯୁବକ ପଂଜୀକରଣ କରିଥିଲେ । ପଂଜୀକରଣ ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଓ ସେ ପରୀକ୍ଷାରେ ଭାଗ ନେବାକୁ ସକ୍ଷମ ବୋଲି ଡାକ୍ତରମାନେ କହିବା ପରେ ତାଙ୍କୁ ଟିକା ଦିଆଯାଇଥିଲା ।

ସାରା ଦେଶରେ ପ୍ରାୟ ୩୫୦୦ ଲୋକଙ୍କ ଶରୀରରେ ଏହାର ପରୀକ୍ଷା କରାଯିବ । ଏହି ସୁସ୍ଥ ଲୋକମାନେ ଏହି ପରୀକ୍ଷଣ ପାଇଁ ସ୍ୱେଚ୍ଛାରେ ପରୀକ୍ଷଣ ଲାଗି ପଂଜୀକରଣ କରିଥିଲେ । ଏମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣରେ ଏମ୍ସରେ ୧୦୦ ଜଣ ସୁସ୍ଥ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଗତ ସପ୍ତାହରେ ଏହି ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନେ ସୁସ୍ଥ ଅଛନ୍ତି ନା ନାହିଁ ତାହା ଯାଞ୍ଚ କରାଯାଇଥିଲା ।

ଭାରତ ବାୟୋଟେକ ଆଇସିଏମଆର ସହଯୋଗରେ ଏହି ଟିକା ପ୍ରସ୍ତୁତ କରୁଛି । ଏହି ଟିକାର ପରୀକ୍ଷଣ ପାଇଁ ଆଇସିଏମଆର ପକ୍ଷରୁ ୧୨ଟି ପ୍ରତିଷ୍ଠାନକୁ ବଛାଯାଇଛି ।

ସମ୍ବନ୍ଧିତ ଖବର