ନୂଆଦିଲ୍ଲୀ: ବିଶ୍ୱ ନେତାମାନେ ସିଓପି୩୦ ପାଇଁ ବ୍ରାଜିଲର ବେଲେମଠାରେ ଏକାଠି ହୋଇ ଜଳବାୟୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବେ। ନଭେମ୍ବର ୧୦ରୁ ୨୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନର ପରିଣାମକୁ ସୀମିତ କରିବା ପାଇଁ ଆଲୋଚନା କରାଯିବ। ଜଳବାୟୁ ଶିଖର ସମ୍ମିଳନୀ ଯେତିକି ପାଖେଇ ଆସୁଛି ଉତ୍ସାହ ସେତିକି ବଢ଼ୁଛି। କିନ୍ତୁ ତିନିଦଶନ୍ଧିର ଜଳବାୟୁ କୂଟନୀତି ଉପରେ ଏକ ପଶ୍ଚାତ୍ ଦୃଷ୍ଟି ପକାଇଲେ ଯେଉଁ ଅଗ୍ରଗତିର ସୂଚନା ମିଳେ, ତାହା ଅତି ନଗଣ୍ୟ।

Advertisment

ଏକ ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ୧୯୯୫ରେ ପ୍ରଥମ ସିଓପି ଅନୁଷ୍ଠିତ ହେବା ସମୟରେ ବିଶ୍ୱ ଗ୍ରିନ୍‌ହାଉସ୍ ଗ୍ୟାସ୍ ନିର୍ଗମନ ଯାହା ଥିଲା ଆଜି ତାହା ୩୪ ପ୍ରତିଶତ ଅଧିକ। ଯଦିଓ ଏହା ପୂର୍ବ ବର୍ଷଗୁଡ଼ିକରେ ୬୪ ପ୍ରତିଶତ ବୃଦ୍ଧି ତୁଳନାରେ କମ୍, ତଥାପି ଏହା ଏକ ଉଦ୍‌ବେଗଜନକ ଧାରା, ଯାହା ପୃଥିବୀର ସ୍ଥିରତା ପ୍ରତି ବିପଦ ସୃଷ୍ଟି କରୁଛି। ପରିସ୍ଥିତିକୁ ଆହୁରି ଖରାପ କରିବା ପାଇଁ, ବିଶ୍ୱ ଜୀବାଶ୍ମ ଇନ୍ଧନର ବ୍ୟବହାର ଅବ୍ୟାହତ ରଖିଛି। ତୈଳ, କୋଇଲା ଓ ଗ୍ୟାସ୍ ହେଉଛି କ୍ଷତିକାରକ ନିର୍ଗମନ ପଛରେ ଥିବା ମୁଖ୍ୟ ଉପାଦାନ ଯାହାକୁ ଶକ୍ତି ଚାହିଦା ଓ ବିକାଶ ପ୍ରକଳ୍ପକୁ ଇନ୍ଧନ ଦେବା ପାଇଁ ବିଭିନ୍ନ ଦେଶ ବ୍ୟବହାର କରୁଛନ୍ତି। ତଥାପି ସିଓପି ଶିଖର ସମ୍ମିଳନୀ ଓ ବିଶ୍ୱସ୍ତରୀୟ କାର୍ଯ୍ୟାନୁଷ୍ଠାନ ବିନା ପୃଥିବୀ ୫ ଡିଗ୍ରି ସେଲସିୟସ ଅଧିକ ଉତ୍ତପ୍ତ ହୋଇଥାନ୍ତା, ଯାହା ଏବେ ୩ ଡିଗ୍ରି ଭିତରେ ରହିଛି।

ଏତିକି ହୋଇଛି ଆମର ପ୍ରଗତି। କିନ୍ତୁ ଆମର ଲକ୍ଷ୍ୟ ଥିଲା, ପ୍ରାକ୍-ଶିଳ୍ପ ବିପ୍ଳବ ସମୟରେ ପୃଥିବୀର ଉତ୍ତାପ ଯାହା ଥିଲା ତାହାଠାରୁ ୧.୫ ଡିଗ୍ରି ବୃଦ୍ଧି ଭିତରେ ସୀମିତ ରଖିବା, ଯେଉଁ ଲକ୍ଷ୍ୟ ହାସଲ ବହୁତ ପଛରେ ରହିଛି। ନିକଟ ଅତୀତରେ ପୃଥିବୀ ୧.୫ ଡିଗ୍ରି ସେଲସିୟସ ସୀମା ଅତିକ୍ରମ କରିଛି, ୨୦୨୩ ଓ ୨୦୨୪ ରେକର୍ଡ ତାପମାତ୍ରା ସ୍ତରରେ ପହଞ୍ଚିଛି। ସୌଭାଗ୍ୟବଶତଃ, ବର୍ତ୍ତମାନ ପାଇଁ, ଗତ ତିନି ଦଶନ୍ଧି ମଧ୍ୟରେ ହାରାହାରି ସ୍ତର ସୀମା ଭିତରେ ରହିଛି।

୨୦୨୪ରେ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ବିଶ୍ୱ ରେକର୍ଡ ୨.୨ ଟ୍ରିଲିୟନ ଆମେରିକୀୟ ଡଲାର ବିନିଯୋଗ କରିଛି, ଯାହା ପ୍ରଥମ ଥର ପାଇଁ ଜୀବାଶ୍ମ ଇନ୍ଧନରେ ବିନିଯୋଗ ହେଉଥିବା ୧ ଟ୍ରିଲିୟନ ଆମେରିକୀୟ ଡଲାରକୁ ଅତିକ୍ରମ କରିଛି। ତଥାପି, ଅସ୍ବଚ୍ଛ ଶକ୍ତିକୁ ସ୍ବଚ୍ଛରେ ବଦଳାଇବାର କାର୍ଯ୍ୟ ବାକି ରହିଛି। ଭାରତ ବିଶ୍ୱର ଅନ୍ୟତମ ବୃହତ୍ତମ ଅକ୍ଷୟ ଶକ୍ତି ବଜାର, କିନ୍ତୁ ଶକ୍ତି ଚାହିଦା ବୃଦ୍ଧି ସହିତ ଏହାକୁ ସନ୍ତୁଳିତ କରିବା ଏକ ଆହ୍ୱାନ ହୋଇ ରହିଛି। ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ପ୍ରତିବର୍ଷ ପ୍ରତିକୂଳ ପାଣିପାଗ ଘଟଣାର ସମ୍ମୁଖୀନ ହେଉଛି। ବ୍ରାଜିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିନିଧିତ୍ୱ କରୁଥିବା ଭାରତର ରାଷ୍ଟ୍ରଦୂତ ଦୀନେଶ ଭାଟିଆ ନିଶ୍ଚିତ କରିଛନ୍ତି ଯେ ସିଓପି ୩୦ରେ ଇକ୍ୱିଟି, ଆଡାପ୍ଟେସନ୍ (ଉପଯୋଜନ) ଓ ଫାଇନାନ୍ସ ଡେଲିଭରି (ଜଳବାୟୁ ପ୍ରକଳ୍ପ ପାଇଁ ଅର୍ଥ ପ୍ରଦାନ) ଉପରେ ଦେଶର ଧ୍ୟାନ ରହିବ।