ନୂଆଦିଲ୍ଲୀ: ଆସନ୍ତା କାଲି ଦେଶ ପାଳିବ ୭୫ତମ ସ୍ୱାଧୀନତା ଦିବସ । ଏହି କ୍ରମରେ ଦିଲ୍ଲୀର ଲାଲକିଲ୍ଲାରେ ତ୍ରୀରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି କାର୍ଯ୍ୟକ୍ରମରେ ଯେଭଳି କିଛି ଅଘଟଣ ନଘଟେ ତାହାକୁ ନଜରରେ ରଖି ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହାସହ ପୁରା ଦିଲ୍ଲୀକୁ ଯବାନ ଛାଉଣୀ କରାଯାଇଛି ।
ଲାଲକିଲ୍ଲାର ଚାରିପଟେ ୯ଟି ଆଣ୍ଟିଡ୍ରୋନ ରାଡାର ଲଗାଯାଇଥିବା ବେଳେ ୩ ଶହ ସିସିଟିଭି ଖଞ୍ଜା ଯାଇଛି । କେବଳ ସେତିକି ନୁହେଁ ଲାଲକିଲ୍ଲାର ପ୍ରବେଶ ପଥରେ ବଡବଡ କଣ୍ଟେନରମାନ ବି ରଖା ଯାଇଛି।
ଏଥିରେ ପାଖାପାଖି ୧୫-୨୦ ଟି କଣ୍ଟେନର ବ୍ୟବହାର କରାଯାଇଛି । କେବଳ ଲାଲକିଲ୍ଲାର ସୁରକ୍ଷା ପାଇଁ ୫ହଜାର ଯବାନ ମୁତୟନ କରାଯାଇଛି । ଏହା ବ୍ୟତୀତ ପୁରା ଦିଲ୍ଲୀରେ ୪୦ ହଜାରରୁ ଅଧିକ ସେନା ନିୟୋଜିତ କରାଯାଇଛି ।
ଅନ୍ୟପଟେ ଦିଲ୍ଲୀର କିଛି ସୀମାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି ଓ କିଛି ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅନ୍ୟପଟେ ଯାନବାହନ ଉପରେ କଡ଼ା ନଜର ବି ରଖାଯାଇଛି ।
ସୁରକ୍ଷା ବ୍ୟବସ୍ଥାରେ ଯେଭଳି କିଛି କମ ନହେବ ସେଥିପାଇଁ ଦିଲ୍ଲୀ ପୁଲିସ ବ୍ୟତୀତ ଅର୍ଦ୍ଧସୈନିକ ବଳ, ଏନଏସଜି କମାଣ୍ଡର ଓ ଏସପିଜି ଯବାନଙ୍କୁ ବି ନିୟୋଜିତ କରାଯାଇଛି।
ଉଚ୍ଚାଉଚ୍ଚା କୋଠାଘର ଛାତରେ ସ୍କାଇପର୍ସ ବି ଲଗାଯାଇଛି । ଏହାସହ ସରକାରୀ କୋଠାରେ ବି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅନ୍ୟପଟେ ଲାଲକିଲ୍ଲାର ଆଖ ପାଖରେ କିଛି ଆତଙ୍କବାଦୀଙ୍କ ଫଟୋ ବି ଲଗାଯାଇଥିବା ଦେଖିବାକୁ ମିଳୁଛି।