ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଆଜି ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର ହୋଇଛି। ଉଭୟ ଦେଶ ୩୦୦ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ କରିଛନ୍ତି। ହାଇଦ୍ରାବାଦ ହାଉସ୍ରେ ପ୍ରତିନିଧିସ୍ତରୀୟ ଆଲୋଚନା ପରେ ଏହି ଚୁକ୍ତି ସ୍ବାକ୍ଷର ହୋଇଛି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମିଳିତ ବିବୃତି ଜାରି କରିଥିଲେ। ଟ୍ରମ୍ପ୍ କହିଛନ୍ତି, ଆମେରିକା ଭାରତ ସହ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରି ଏ ଦିଗରେ ବନ୍ଧୁତା ଓ ସହଯୋଗର ହାତ ବଢ଼ାଇଛି। ପ୍ରତିରକ୍ଷା ଚୁକ୍ତି ସହିତ ଭାରତ ଏବଂ ଆମେରିକା ମଧ୍ୟରେ ‘୫ଜି ୱେୟାରଲେସ୍ ନେଟୱର୍କ୍’ ଏବଂ ଶକ୍ତି କ୍ଷେତ୍ରରେ ମଧ୍ୟ ରାଜିନାମା ସ୍ବାକ୍ଷର ହୋଇଛି। ପ୍ରତିରକ୍ଷା ଚୁକ୍ତି ଆଧାରରେ ଭାରତ ଆମେରିକାଠାରୁ ୨.୬ ବିଲିୟନ୍ ଡଲାରରେ ୨୪ଟି ଏମ୍ଏଚ-୬୦ ରୋମିଓ ହେଲିକପ୍ଟର କିଣିବ ଏବଂ ୮୦୦ ମିଲିଅନ୍ ଡଲାରରେ ୬ଟି ଏଏଚ୍-୬୪ଇ ଆପାଚି ହେଲିକପ୍ଟର ଆଣିବ। ଭାରତ ଏବଂ ଆମେରିକା ମଧ୍ୟରେ ଆଜି ସ୍ବାସ୍ଥ୍ୟ ଏବଂ ତୈଳ କ୍ଷେତ୍ରରେ ମଧ୍ୟ ରାଜିନାମା ସ୍ବାକ୍ଷର ହୋଇଛି। ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରରେ ଦୁଇ ଦେଶ ଏକ ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ସେହିପରି ଇଣ୍ଡିଆନ୍ ଅଏଲ କର୍ପୋରେସନ୍ ଲିମିଟେଡ୍ ଏବଂ ଏକ୍ସନ୍ ମୋବିଲ ଇଣ୍ଡିଆ ଏଲଏନ୍ଜି ଲିମିଟେଡ୍ ଏବଂ ଚାର୍ଟ ଇଣ୍ଡଷ୍ଟ୍ରିଜ୍ ଆଇଏନ୍ସି, ୟୁଏସ୍ ମଧ୍ୟରେ ବି ବୁଝାମଣା ହୋଇଛି।
ଭାରତ ଆମେରିକାଠାରୁ ଯୁଦ୍ଧ ହେଲିକପ୍ଟର ସହ ବିଭିନ୍ନ ପ୍ରତିରକ୍ଷା ସାମଗ୍ରୀ କିଣିବ। ଆପାଚି ଏବଂ ଏମଏଚ୍-୬୦ ରୋମିଓ ହେଲିକପ୍ଟର ସମେତ ଅନ୍ୟାନ୍ୟ ସାମରିକ ଉପକରଣ ଭାରତ ଆମେରିକାଠାରୁ କିଣିବ। ଏମଏଚ୍-୬୦ ରୋମିଓ ସିହକ୍ ହେଲିକପ୍ଟର ବିଶ୍ବର ସବୁଠୁ ଅତ୍ୟାଧୁନିକ ସାମୁଦ୍ରିକ ହେଲିକପ୍ଟର। ଭାରତ ମହାସାଗରୀୟ ଅଞ୍ଚଳରେ ଚୀନ୍ ଏହାର ଆଧିପତ୍ୟ ବିସ୍ତାର କରୁଥିବାରୁ ଏଭଳି ସ୍ଥିତିରେ ଏହି ଏମଏଚ୍-୬୦ ରୋମିଓ ସିହକ୍ ଭାରତୀୟ ନୌସେନାକୁ ଶକ୍ତି ଯୋଗାଇ ଦେବ। ସେହିପରି ଆପାଚି ହେଲିକପ୍ଟରର ମଧ୍ୟ ପାର୍ବତ୍ୟାଞ୍ଚଳରେ ତା’ର ଶ୍ରେଷ୍ଠତା ପ୍ରଦର୍ଶନ କରିବ। ଏହା ଘଣ୍ଟାକୁ ୨୯୦ କିମି ବେଗରେ ଉଡ଼ାଣ କାରିପାରିବ ଏବଂ ମାତ୍ର ୩୦ ସେକେଣ୍ଡ୍ରେ ଟାାର୍ଗେଟ୍କୁ ଆକ୍ରମଣ କରିପାରିବ। ଆପାଚି ହେଲିକପ୍ଟର ମୁତୟନ ହେବା ଦ୍ବାର ଭାରତୀୟ ବାୟୁସେନାର ଶକ୍ତି ଯଥେଷ୍ଟ ବୃଦ୍ଧି ହେବ।