କରାଚୀ : ଗ୍ରୀସ୍ ଉପକୂଳରେ ଭୂମଧ୍ୟସାଗରରେ ଏକ ମାଛଧରା ଟ୍ରଲର ବୁଡ଼ିଯିବା ଯୋଗୁ ପ୍ରାୟ ୩୦୦ ପାକିସ୍ତାନୀ ନାଗରିକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା ବ୍ୟକ୍ତ କରାଯାଇଛି। ଏମାନଙ୍କ ମଧ୍ୟରୁ ପାକ୍ ଅଧିକୃତ କାଶ୍ମୀରର ପ୍ରାୟ ୧୩୫ ଜଣ ବ୍ୟକ୍ତି ଥିବା କୁହାଯାଉଛି। ପୂର୍ବରୁ ପ୍ରକାଶିତ ଖବରରେ ମୃତ୍ୟୁସଂଖ୍ୟା ୧୦୦ ଭିତରେ ଥିଲା। ଏହି ମାଛଧରା ଟ୍ରଲରରେ ବିଭିନ୍ନ ଦେଶର ୪୦୦ରୁ ୭୫୦ ପର୍ଯ୍ୟନ୍ତ ବ୍ୟକ୍ତି ଥିବା ଅନୁମାନ କରାଯାଉଛି।

Advertisment

ପାକିସ୍ତାନ ସିନେଟ୍‌ର ଅଧ୍ୟକ୍ଷ ମହମ୍ମଦ ସାଦିକ ସଂଜରାନି ରବିବାର ଏକ ବିବୃତିରେ ଡଙ୍ଗାବୁଡ଼ିଜନିତ ମୃତ୍ୟୁସଂଖ୍ୟା ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି। ଏହା ବେଆଇନ ମାନବ ଚାଲାଣର ଫଳ ବୋଲି ସେ କହିଛନ୍ତି। ଗ୍ରୀସ୍ ସରକାର ପାକିସ୍ତାନର ମୃତ୍ୟୁସଂଖ୍ୟା ଦାବି ଉପରେ କିଛି ସ୍ପଷ୍ଟୀକରଣ ଦେଇନାହାନ୍ତି। ଲୋକଙ୍କୁ ବେଆଇନ ଭାବେ ନେଉଥିବା ଅଭିଯୋଗରେ ଗ୍ରୀକ ଅଦାଲତରେ ୯ ଜଣ ବ୍ୟକ୍ତି ହାଜର ହେବେ ବୋଲି ଜଣାଯାଇଛି।