ମାରିଓପୋଲ ଥିଏଟର ଆକ୍ରମଣରେ ୩୦୦ରୁ ଅଧିକ ଲୋକ ମରିଥିଲେ : ରିପୋର୍ଟ

କିବ୍ : ଗତ ସପ୍ତାହରେ ୟୁକ୍ରେନର ବନ୍ଦର ନଗରୀ ମାରିଓପୋଲର ଏକ ଥିଏଟର ଉପରେ ରୁଷ ପକ୍ଷରୁ କରାଯାଇଥିବା ବୋମା ମାଡ଼ରେ ପ୍ରାୟ ୩୦୦ ଲୋକ ନିହତ ହୋଇଥିବା ଏକ ଅନ୍ତର୍ଜାତୀୟ ସମ୍ବାଦ ସରବରାହ ଏଜେନ୍ସି ରିପୋର୍ଟ ପ୍ରକାଶ କରିଛି । ମାରିଓପୋଲ ପ୍ରଶାସନ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତିକରି ଏହି ଅଟକଳ କରାଯାଉଛି ।

ଗତ ମାର୍ଚ୍ଚ ୧୬ ତାରିଖରେ ରୁଷ ପକ୍ଷରୁ ଏହି ଥିଏଟରରେ ଏକ ଶକ୍ତିଶାଳୀ ବୋମା ପକାଯାଇଥିଲା ।  ଏହି ସମୟରେ ଉକ୍ତ ଥିଏଟରରେ ପ୍ରାୟ ୧ ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଆହତଙ୍କ ସଂଖ୍ୟା ଆହୁରି ଅଧିକ ହୋଇଥିବା କୁହାଯାଉଛି ।

ମାରିଓପୋଲକୁ ଅଧିକାର କରିବାକୁ ରୁଷ ପକ୍ଷରୁ ଗତ ଏକ ସପ୍ତାହ ହେଲା ପ୍ରବଳ ଆକ୍ରମଣ କରାଯାଉଛି । ମୃତ୍ୟୁସଂଖ୍ୟା ଏତେ ଅଧିକ ହେଲାଣି ଯେ, ସ୍ଥାନୀୟ ଲୋକମାନେ ଏକ୍ସାଭେଟରରେ ଗାତଖୋଳି ଗଣକବର ଦେଉଛନ୍ତି ।

ଅନ୍ୟପକ୍ଷରେ ମାରିଓପୋଲରେ ଥିବା ସାଧାରଣ ନାଗରିକମାନଙ୍କୁ ଉଦ୍ଧାର କରିବାକୁ ପୁଣି ଥରେ ଏକ ଉଦ୍ୟମ ଆରମ୍ଭ କରିଛି ୟୁକ୍ରେନ । ୟୁକ୍ରେନର ଉପପ୍ରଧାନମନ୍ତ୍ରୀ ଇରିନି ଭେରେସଚୁକ କହିଛନ୍ତି ଯେ ଲୋକମାନଙ୍କୁ କାର ମାଧ୍ୟମରେ ଉଦ୍ଧାର କରାଯାଉଛି । ଯେଉଁମାନେ ନିଜ ଉଦ୍ୟମରେ ଖସିଯିବାକୁ ସକ୍ଷମ ହୋଇଛନ୍ତି ସେମାନଙ୍କୁ ନିକଟସ୍ଥ ସହର ଜାପୋରିଜିଆ ସହରରେ ଅପେକ୍ଷା କରିଥିବା ବସ ମାଧ୍ୟମରେ ସୁରକ୍ଷିତ ସ୍ଥାନକୁ ନିଆଯିବ ।

ସମ୍ବନ୍ଧିତ ଖବର