ଭାରତରେ ୩୦୦ ଜିଲ୍ଲା ଏବେ ବି କରୋନା ମୁକ୍ତ, ୩୦୦ ଜିଲ୍ଲାରେ କମ୍‌ ମାମଲା

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିଲେ ମଧ୍ୟ ଭାରତରେ ଏବେ ବି ୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, ୩୦୦ ଜିଲ୍ଲା କରୋନାମୁକ୍ତ ରହିଛି। ଭାରତରେ ୩୦୦ଟି ଜିଲ୍ଲାରେ କରୋନା ପହଞ୍ଚି ନଥିବା ବେଳେ ଅନ୍ୟ ୩୦୦ଟି ଜିଲ୍ଲାରେ ମାମଲା ଖୁବ୍‌ କମ୍‌ ରହିଛି। ତେବେ ୧୨୯ଟି ଜିଲ୍ଲାକୁ ହଟ୍‌ସ୍ପଟ୍‌ ଘୋଷଣା କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଭାଇରସ୍‌ ନିୟନ୍ତ୍ରଣ ପାଇଁ ସରକାର ଏହିସବୁ ଜିଲ୍ଲାଗୁଡ଼ିକ ଉପରେ ଫୋକସ୍‌ କରୁଛନ୍ତି। ଗତ ୭ ଦିନ ମଧ୍ୟରେ ୮୦ଟି ଜିଲ୍ଲାରେ କୌଣସି ନୂଆ ମାମଲା ନାହିଁ ଏବଂ ୧୪ ଦିନ ମଧ୍ୟରେ ୪୭ଟି ଜିଲ୍ଲାରେ କୌଣସି ନୂଆ ମାମଲା ନାହିଁ ବୋଲି ବର୍ଦ୍ଧନ କହିଛନ୍ତି। ନିତି ଆୟୋଗ ମୁଖ୍ୟ କ‌ାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ କହିଛନ୍ତି, ଦିଲ୍ଲୀ, ମୁମ୍ବାଇ ଏବଂ ଅହମଦାବାଦ୍‌ ସହ ୧୫ଟି ସ୍ଥାନରେ ସଂକ୍ରମଣର ମାତ୍ରା ଅଧିକ ରହିଛି। ହାଇଦ୍ରାବାଦ୍‌, ପୁନେ, ଯାଜପୁର, ଇନ୍ଦୋର, ଅହମଦାବାଦ୍‌, ମୁମ୍ବାଇ ଏବଂ ଦିଲ୍ଲୀରେ ବିପଦ ଅଧିକ ରହିଛି। ଗତ ୨୧ ଦିନ ମଧ୍ୟ‌ରେ ୩୯ଟି ଜିଲ୍ଲାରେ ଗୋଟିଏ ବି ନୂଆ ମାମଲା ନାହିଁ ଏବଂ ଗତ ୨୮ ଦିନ ମଧ୍ୟରେ ୧୭ଟି ଜିଲ୍ଲାରେ ଗୋଟିଏ ବି ନୂଆ ମାମଲା ନାହିଁ। ଉତ୍ତରପୂର୍ବରୁ ପଞ୍ଚମ ରାଜ୍ୟ ଭାବେ ତ୍ରିପୁରା ଏବେ କରୋନା ମୁକ୍ତ ହୋଇଛି। ରାଜ୍ୟରେ ୨ ଜଣ କରୋନା ରୋଗୀ ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛନ୍ତି। ଉତ୍ତରପୂର୍ବ ରାଜ୍ୟ ସିକ୍କିମ, ନାଗାଲାଣ୍ଡ୍‌, ଅରୁଣାଚଳପ୍ରଦେଶ ଏବଂ ମଣିପୁର ଏବେ କରୋନା ମୁକ୍ତ ରହିଛି। ତେବେ ଉତ୍ତରପୂର୍ବ ରାଜ୍ୟ ଆସାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ଆସାମରେ ୩୮ ଜଣ କରୋନା ଆକ୍ରାନ୍ତ ହୋଇଥିବ‌ା ଜଣାପଡ଼ିଛି।

ସମ୍ବନ୍ଧିତ ଖବର