ନୂଆଦିଲ୍ଲୀ: ଗତ ୨୧ ତାରିଖରୁ ଫ୍ରାନ୍ସର ପ୍ୟରିସ ନକଟ ଏକ ବିମାନବନ୍ଦରରେ ଅଟକ ଥିବା ୩୦୦ରୁ ଅଧିକ ଭାରତୀୟଙ୍କୁ ଦେଶ ଛାଡ଼ିବା ଲାଗି ଅନୁମତି ମିଳିଥିବା ଜଣାପଡ଼ିଛି। ସେମାନଙ୍କୁ ଚାଲାଣ ନେଇ ହୋଇଥିବା ଅଭିଯୋଗ ସଂପର୍କରେ ପ୍ରମାଣ ନ ମିଳିବାରୁ ସେଠାକାର କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏହି ଘଟଣାରେ ବିମାନରେ ଥିବା ୬ ନାବାଳକଙ୍କ ସମେତ ୧୦ଜଣ ଭାରତୀୟ ଯାତ୍ରୀ ଫ୍ରାନ୍ସରେ ଶରଣାର୍ଥୀ ପାଇଁ ଆବେଦନ କରିଛନ୍ତି। ସେମାନଙ୍କ ସଂପର୍କରେ ଫ୍ରାନ୍ସ କର୍ତ୍ତୃପକ୍ଷ ବିଚାର କରୁଛନ୍ତି।
ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖରେ ଦୁବାଇରୁ ନିକାରାଗୁଆ ଯାଉଥିବା ରୋମାନିଆର ଲିଜେଣ୍ଡ ଏୟାରଲାଇନ୍ସର ଏକ ଭଡ଼ା ବିମାନ ଇନ୍ଧନ ପାଇଁ ପ୍ୟାରିସ ଠାରୁ ୧୫୦ କିଲୋମିଟର ଦୂର ଭାତ୍ରି ବିମାନବନ୍ଦରେ ଅବତରଣ କରିଥିଲା। ଏହି ସମୟରେ ବିମାନବନ୍ଦରକୁ କେହି ଫୋନ କରି ଜଣାଇଥିଲା ଯେ ଭାରତର ଏହି ଯାତ୍ରୀମାନଙ୍କୁ ଚାଲାଣ କରାଯାଉଛି। ଏଥିରେ ୧୧ ଜଣ ଅଭିଭାବକ ବିହୀନ ନାବାଳକଙ୍କ ସମେତ ୩୦୩ଜଣ ଯାତ୍ରୀ ଥିଲେ। ଏହାପରେ ପୁଲିସ ବିମାନକୁ ଅଟକ ରଖି ଯାଞ୍ଚ ଆରମ୍ଭ କରିଥିଲା। ମାନବ ଚାଲାଣ ଘଟଣାରେ ନିକାରାଗୁଆର ଖରାପ ରେକର୍ଡ ରହିଥିବାରୁ ବିମାନ ଯାତ୍ରୀଙ୍କୁ ନେଇ ଅନେକ ସେନ୍ଦେହ ସୃଷ୍ଟି ହୋଇଥିଲା। ଏସଂପର୍କରେ ବିମାନରେ ଥିବା ୩୦ ଜଣ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ତେବେ ଏଭଳି କୌଣସି ଘଟଣାରେ ସଂପୃକ୍ତ ଥିବାର ପ୍ରମାଣ ନ ମିଳିବାରୁ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ଅନ୍ୟ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ବିମାନବନ୍ଦରରେ ଅଟକ ରଖାଯାଇଥିଲା। ସେମାନଙ୍କ ଲାଗି ଅସ୍ଥାୟୀ ଶିବିର ପ୍ରତିଷ୍ଠା କରାଯାଇଥିଲା। ଲିଜେଣ୍ଡ ଏୟାର୍ଲାଇନସର ଓକିଲ ଲିଲିଆନା ବାକାୟୋକ କହିଛନ୍ତି ଯେ ବିମାନର କର୍ମଚାରୀ ଓ ଚାଳକଙ୍କୁ ପଚରାଉଚରା ପରେ ଛାଡ଼ିଦିଆଯାଇଛି। ଅଟକ ରହିଥିବା ବଳକା ଯାତ୍ରୀଙ୍କୁ ଭାତ୍ରି ବିମାନ ବନ୍ଦନ ନିକଟସ୍ଥ ଏକ ଅଞ୍ଚଳରେ ଅସ୍ଥାୟୀ ଭାବେ ରଖାଯାଇଛି।
ଘଟଣାର ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ଫ୍ରାନ୍ସ ସରକାର ୪ ଜଣ ବିଚାରପତିଙ୍କ ସହିତ ୪ ଜଣ ସରକାରୀ ଓକିଲଙ୍କୁ ମଧ୍ୟ ନିଯୁକ୍ତି ଦେଇଥିଲେ। ଚାରି ଜଣ ବିଚାରପତି ଅଟକ ଯାତ୍ରୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ପଚରାଉଚରା କରିଛନ୍ତି। ସେମାନଙ୍କୁ ଚାଲାଣ କରାଯାଉଥିବା ନେଇ ସେଭଳି କୌଣସି ପ୍ରମାଣ ମିଳିନାହିଁ। ତେଣୁ ସେମାନଙ୍କୁ ଛାଡ଼ିଦେବା ଲାଗି ନିଷ୍ପତ୍ତି ହୋଇଛି। ମିଳିଥିବା ସୂଚନା ଅନୁସାରେ ଭାରତର ଏହି ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଶ୍ରମିକ ଶ୍ରେଣୀର। ସେମାନେ ନିକାରାଗୁଆ ଦେଇ କାନାଡ଼ା କିମ୍ବା ଆମେରିକା ଯାଇପାରନ୍ତି।