ଉହାନରେ ଆଉ ୩୦୦ କରୋନା ଆକ୍ରାନ୍ତ ଚିହ୍ନଟ

ବେଜିଂ : କରୋନା ଭାଇରସର ଉତ୍ପତ୍ତିସ୍ଥଳ ଚୀନର ଉହାନ ନଗରୀରେ ପ୍ରାୟ ୩୦୦ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହାଫଳରେ କରୋନା ପୁଣି ଚୀନକୁ ଫେରିବାର ଆଶଙ୍କା ସୃଷ୍ଟି ହୋଇଛି । ଉହାନରେ କରୋନା ଯାଞ୍ଚ ପାଇଁ ଗତ ୧୯ ଦିନରେ ସହରର ସବୁ ନାଗରିକଙ୍କ ନମୁନା ପରୀକ୍ଷା କରାଯାଉଛି । ଏହି ସମୟ ମଧ୍ୟରେ ଉହାନରେ ପ୍ରାୟ ୧ କୋଟି ଲୋକଙ୍କ ନମୁନା ପରୀକ୍ଷା ହୋଇଛି । ସେମାନଙ୍କ ମଧ୍ୟରୁ ୩୦୦ ଜଣଙ୍କ ନମୁନା ପଜିଟିଭ ଆସିଛି । ଏହି ଲୋକମାନଙ୍କ ଶରୀରରେ କୌଣସି କରୋନା ଲକ୍ଷଣ ନଥିବା ଜଣାଯାଇଛି । ଏମାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୧୧୭୪ ଜଣ ଲୋକଙ୍କ ମଧ୍ୟ ନମୁନା ପରୀକ୍ଷା ହୋଇଥିଲେ ମଧ୍ୟ ତାହା ନେଗେଟିଭ ବାହାରିଛି ।

ଏହି ଉହାନ ନଗରୀରେ ହିଁ ଗତ ବର୍ଷ ଡିସେମ୍ବର ମାସରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲା ଓ ଧୀରେ ଧୀରେ ତାହା ଏବେ ସମଗ୍ର ବିଶ୍ୱରେ ବ୍ୟାପିଯାଇଛି । ଚୀନରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଓ ମୃତକଙ୍କ ମଧ୍ୟରୁ ୮୦ ପ୍ରତିଶତ ଏହି ନଗରୀରୁ ହିଁ ଚିହ୍ନଟ ହୋଇଥିଲେ । କରୋନା ଚିହ୍ନଟ ହେବା ପରେ ଚୀନ ପକ୍ଷରୁ ଏହି ନଗରୀକୁ ଲକଡାଉନ କରି ଚୀନର ଅନ୍ୟ ସହରକୁ ବିମାନ ଓ ଟ୍ରେନ ଚଳାଚଳ ବନ୍ଦ କରିଦିଆଯାଇଥିଲା । କିନ୍ତୁ ଅନ୍ତର୍ଜାତୀୟ ଫ୍ଲାଇଟ ଚଳାଚଳ ଜାରି ରହିଥିଲା । ଏହା ଫଳରେ ସମଗ୍ର ବିଶ୍ୱରେ କରୋନା ବ୍ୟାପିଥିଲା ।

ସମ୍ବନ୍ଧିତ ଖବର